ବଲାଙ୍ଗିର : ୧୫୦ ବର୍ଷ

ଗୋପବନ୍ଧୁ ରଥ

ଏକଦା ବଲାଙ୍ଗିର ଜିଲ୍ଲାକୁ ‘ପାଟଣା ଷ୍ଟେଟ’ ବୋଲି କୁହାଯାଉଥିବା କଥା ଇତିହାସ କହିଥାଏ । ଏହି ପାଟଣା ଷ୍ଟେଟ୍‌ର ରାଜଧାନୀ ଥିଲା ପାଟଣାଗଡ଼ । ପାଟଣାଗଡ଼ର ଚତୁଃପାଶ୍ୱର୍ରେ କଟଙ୍ଗ ବାଉଁଶ ବଣ ରହିଥିବା ହେତୁ ତାହା ଏକ ମ୍ୟାଲେରିଆ ପ୍ରବଣ ଅଂଚଳ ଭାବେ ଅପଖ୍ୟାତ ହୋଇଥିଲା । ଫଳରେ ଅମଲା ଅଫିସର ବୃନ୍ଦ ସେଠାରେ ଅବସ୍ଥାନ କରି କାର୍ଯ୍ୟନିର୍ବାହ କରିବା ଅସମ୍ଭବ ହୋଇ ପଡ଼ିଲା । ସେଥିପାଇଁ ପାଟଣା ଷ୍ଟେଟ୍‌ର ରାଜଧାନୀକୁ ସେଠାରୁ ଅନ୍ୟତ୍ର ଉଠାଇ ନେବା ପାଇଁ ନାନା ବିଧ କଳ୍ପନା ଜଳ୍ପନା ହେଲା । ପରିଶେଷରେ ବିଭିନ୍ନ ଦୃଷ୍ଟିକୋଣରୁ ବିବେଚନା ଓ ବିଚାର ବିମର୍ଷ କରାଯିବା ପରେ ବଲାଙ୍ଗିର ନୂତନ ରାଜଧାନୀ ସ୍ଥାପନ ନିମିତ୍ତ ଉପଯୁକ୍ତ ସ୍ଥାନ ହେବ ବୋଲି ସ୍ଥିରିକୃତ ହେଲା । ଫଳରେ ୧୮୭୧ରେ ସେ ଦିଗରେ କାର୍ଯ୍ୟାରମ୍ଭ କରାଯାଇ ସର୍ବପ୍ରଥମେ ଡାକ୍ତରଖାନା, ଜେଲ୍‌ ଓ ମନୋହରପୁର ଠାରେ ପୋଲିସ ଷ୍ଟେସନ ନିର୍ମିତ ହେଲା ଏବଂ ୧୮୭୨ରେ ବିଧିବଦ୍ଧ ଭାବେ ବଲାଙ୍ଗିରକୁ ରାଜଧାନୀ ଉଠାଇ ଅଣାଯାଇଥିଲା । ନବ ନିର୍ମିତ ରାଜପ୍ରାସାଦରେ ରାଜ ପରିବାର ରହିବା ବ୍ୟବସ୍ଥା କରାହେଲା ଏବଂ ଜୁନ୍‌ହାଁଡିହି ଠାରେ ପ୍ରଜାବର୍ଗ ପୂର୍ବବତ୍‌ ଅବସ୍ଥାନ କରିଥିଲେ । କାଳକ୍ରମେ ବଲାଙ୍ଗିରର ବିଭିନ୍ନ କ୍ଷେତ୍ରରେ କ୍ରମୋନ୍ନତି ସାଧିତ ହୋଇ ଏହାର କୃତୀ ସନ୍ତାନମାନଙ୍କ ଅବଦାନ ଏହାର ଭବିଷ୍ୟତକୁ ଗୌରବମୟ କରିବାରେ ସମର୍ଥ ହୋଇଛି ।

ଏବେ ବଲାଙ୍ଗିରକୁ ୧୫୦ ବର୍ଷ ହେଲାଣି । ଏହାର ଛବିଳ ଅତୀତର ପ୍ରଥମ ପରିଚ୍ଛେଦଟିର ଅର୍ଥପୂର୍ଣ୍ଣ ବିହଙ୍ଗାବଲୋକନ କରିବା ପରେ ଯାଇ ଆଗାମୀ ଯୁଗର ବଲାଙ୍ଗିରର ଏକ ବୈଚିତ୍ରମୟ ସ୍ୱପ୍ନ ଦେଖିବା ସମ୍ଭବ ହେବ ।

ବଲାଙ୍ଗିର : ୧୮୭୧ରୁ ୧୯୪୭

  • ୧୮୭୧ : ଜେଲ୍‌, ଡାକ୍ତରଖାନା ଓ ମନୋହରପୁର ଠାରେ ପୋଲିସ ଷ୍ଟେସନ ନିର୍ମାଣ
  • ୧୮୭୨ : ବଲାଙ୍ଗିରକୁ ପାଟଣା ଷ୍ଟେଟ୍‌ର ରାଜଧାନୀ ରୂପେ ବିଜ୍ଞପ୍ତି ପ୍ରକାଶ
  • ୧୮୯୬ : ଗୋପାଳଜୀ ମନ୍ଦିର ନିର୍ମାଣ
  • ୧୮୯୮ : ରବିଚନ୍ଦ୍ର ସାଏ ବଲାଙ୍ଗିରର ପ୍ରଥମ ମେଟ୍ରିକ୍ୟୁଲେଟ୍‌ ହେଲେ
  • ୧୯୦୦ : ନରସିଂହ ମନ୍ଦିର ନିର୍ମାଣ
  • ୧୯୦୨ : ପାଟଣେଶ୍ୱରୀ ମନ୍ଦିର ନିର୍ମାଣ
  • ୧୯୦୪ : ସନାତନ ଧର୍ମ ପତ୍ରିକାର ପ୍ରକାଶନ
  • ୧୯୦୭ : ଅଘରିଆ ଗୁଡ଼ି (ଜଗନ୍ନାଥ ମନ୍ଦିର) ନିର୍ମାଣ
  • ୧୯୦୮ : ଭରତ ଚନ୍ଦ୍ର ନାୟକ ବଲାଙ୍ଗିର ପ୍ରଥମ ଗ୍ରାଜୁଏଟ୍‌ ହେଲେ, ଦଳଗଂଜନ ପ୍ରେସ୍‌ ଓ ସନାତନ ମନ୍ଦିର ସ୍ଥାପନ ଓ ଫ୍ରେଜର ସର୍କିଟ୍‌ ହାଉସ୍‌ ନିର୍ମାଣ
  • ୧୯୧୧ : ପାୱାର ହାଉସ୍‌ ନିର୍ମାଣ
  • ୧୯୧୫ : ଜର୍ଜ ଲିଟରାରୀ କ୍ଲବ ଓ ସମଲେଶ୍ୱରୀ ମନ୍ଦିର ସ୍ଥାପନ
  • ୧୯୧୬ : ପି.ଆର୍‌. ହାଇସ୍କୁଲ ସ୍ଥାପନ
  • ୧୯୨୦ : ମହାଦେବ ମନ୍ଦିର ନିର୍ମାଣ
  • ୧୯୨୨ : ଆଦର୍ଶ ବଗିଚା, ରାମ୍‌ସେ ଗୁରୁ ଟ୍ରେନିଂ ସ୍କୁଲ ଓ ବାଦଲ ମହଲ ନିର୍ମାଣ
  • ୧୯୩୦ : କଚେରୀ ଭବନ ନିର୍ମାଣ
  • ୧୯୩୬ : ଏକ୍ସ-ରେ ଚିକିତ୍ସାଳୟ ସ୍ଥାପନ
  • ୧୯୩୯ : ରାଜ୍ୟଶ୍ରୀ ଧର୍ମଶାଳା ସ୍ଥାପନ, ପ୍ରତ୍ନତତ୍ତ୍ୱ ବିଭାଗର ଉନ୍ମୋଚନ
  • ୧୯୪୦ : ପ୍ରତ୍ନତତ୍ତ୍ୱ ମ୍ୟୁଜିଅମ୍‌ ଓ ହାଇକୋର୍ଟର ସ୍ଥାପନ
  • ୧୯୪୨ : ବଲାଙ୍ଗିରରେ ଅନୁଷ୍ଠିତ ‘କୋଶଳ ସାହିତ୍ୟ ସମ୍ମିଳନୀ’ରେ ପରୀକ୍ଷିତ ଖଣ୍ଡୁଆଳଙ୍କ ‘ମୋର ଘର’ କବିତା ପାଇଁ ସ୍ୱର୍ଣ୍ଣପଦକ ପ୍ରଦାନ, ପୂର୍ଣ୍ଣଚନ୍ଦ୍ର ରଥଙ୍କ ରାଜେନ୍ଦ୍ର କଲେଜ ସ୍କିମ୍‌ ଉପସ୍ଥାପନ
  • ୧୯୪୩ : ଶାରଦେଶ୍ୱରୀ ଆୟୁର୍ବେଦିକ ଚିକିତ୍ସାଳୟର ଉଦ୍‌ଘାଟନ
  • ୧୯୪୪ : ରାଜେନ୍ଦ୍ର କଲେଜର ଅୟମାରମ୍ଭ, ପଣ୍ଡିତ ଅର୍ଜୁନ ହୋତାଙ୍କ ଶୁଭଦ୍ରାର୍ଜୁନ ନାଟକର ପ୍ରକାଶନ, ପ୍ରବୀଣ ନାଟ୍ୟକାର ଦିବ୍ୟସିଂହ ନାୟକଙ୍କ ତିରୋଧାନ, ପିଆର୍‌ ହାଇସ୍କୁଲର ଛାତ୍ର ବିଘ୍ନରାଜ ପଟେଲ ମେଟ୍ରିକ ପରୀକ୍ଷାରେ ୩ୟ ସ୍ଥାନ ଲାଭ
  • ୧୯୪୫ : ଆୟୁର୍ବେଦିକ ଫାର୍ମାସିର ସଂସ୍ଥାପନ, କଳିଙ୍ଗ ଐତିହାସିକ ଗବେଷଣା ପରିଷଦ ସ୍ଥାପନ (ଅକ୍ଟୋବର ୧୩)
  • ୧୯୪୬ : ୨୫ ଫେବୃଆରୀରେ କୋଶଳ କଳା ମଣ୍ଡଳ ଉଦ୍‌ଘାଟନ, ମଇ ମାସରେ ‘ଚତୁରଙ୍ଗ’ର ପ୍ରକାଶନ (ପ୍ରଥମ ସଂପାଦକ ବ୍ରଜେନ୍ଦ୍ର ନାରାୟଣ ସିଂହଦେଓ)

ଏବଂ ୧ ଜାନୁଆରୀ ୧୯୪୮ରେ ଗଡ଼ଜାତ ମିଶ୍ରଣ ହୋଇଥିଲା । ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ବଲାଙ୍ଗିର ବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।

Leave A Reply

Your email address will not be published.