ବୁନ୍ଦି ଲଡ଼ୁ ଖାଇବାକୁ ଦେଇ ବାଳକର ତଣ୍ଟି କାଟିଦେଲା ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୁନ୍ଦି ଲଡ଼ୁ ଖାଇବାକୁ ଦେଇ ପଡ଼ିଶା ଘରର ବାଳକକୁ ଦା’ରେ ତଣ୍ଟି କାଟିଦେଲା ଦୁର୍ବୃତ୍ତ । ଏଭଳି ଏକ ଘଟଣା ଆଜି ସଇଁତଲା ବ୍ଲକ୍‌ ଶିଶ୍‌କେଲା ପଞ୍ଚାୟତର ଭୋଇପଡ଼ାରେ ଘଟିଛି । ଗୁରୁତର ବାଳକଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଗୁଣି ଗାରେଡ଼ି ଆଧାରରେ ବାଳକଙ୍କୁ ବଳି ଚଢ଼ାଇବା ଉଦ୍ଦେଶ୍ୟରେ ଏଭଳି କାଣ୍ଡ କରିଥାଇପାରେ ଦୁର୍ବୃତ୍ତ ବୋଲି ସାଧାରଣରେ ଆଲୋଚନା ହେଉଛି । ସୂଚନା ଅନୁସାରେ ବୁର୍ଲା ନିବାସୀ ଝିଲି ଦୀପ ଓ ଡୋଳା ଦୀପଙ୍କ ପୁତ୍ର ନୀଲମ୍‌ ଦୀପ(୧୨) ଭୋଇପଡ଼ାର ମାମୁଁ ନୀଲୁ ନାଗଙ୍କ ଘରେ ରହି ପାଠ ପଢ଼ୁଥିଲେ । ଆଜି ପୂର୍ବାହ୍ନରେ ମାମୁଁଘର ପାଖରେ ଥିବା ଏକ ପଡେ଼ାଶୀ ଘରକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ବୁନ୍ଦି ଲଡ଼ୁ ଖାଇବାକୁ ଦେଇ ପଡ଼ିଶା ଘରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଜଣେ ସଦସ୍ୟ ଦା’ରେ ବାଳକ ନୀଲମଙ୍କ ତଣ୍ଟି କାଟି ଦେଇଥିଲେ । ଜୀବନ ଆକୁଳରେ ନୀଲମ ଦୁର୍ବୃତ୍ତ ଠାରୁ ନିଜକୁ ମୁକୁଳାଇ ମାମୁଁଙ୍କ ଘରକୁ ଚାଲି ଆସିଥିଲେ । ନୀଲମଙ୍କ ତଣ୍ଟିରୁ ଅତିଶୟ ରକ୍ତସ୍ରାବ ହେବା ପରେ ତାଙ୍କୁ ସଇଁତଲା ଡାକ୍ତରଖାନାକୁ ତୁରନ୍ତ ଅଣାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ରେଫର୍‌ କରାଯାଇଥିଲା । ୧୦୮ ଆମ୍ବୁଲେନ୍ସ ଦ୍ୱାରା ଅଣାଯାଇ ନୀଲମଙ୍କୁ ବିବିଏମ୍‌ସିଏଚ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ଅନ୍ୟପଟେ ଏହି ଘଟଣା ସଂପର୍କରେ ସଇଁତଲା ପୋଲିସ ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରିଥିବା କୁହାଯାଇଛି ।

Leave A Reply

Your email address will not be published.