
ୱାଶିଂଟନ୍ : ଆମେରିକାର ନେସ୍ନାଲ୍ ୱେଦର୍ ସାର୍ଭିସ୍ (ଏନ୍ଡବ୍ଲୁଏସ୍) ଅନୁଯାୟୀ ବଜ୍ରପାତ ମଣିଷକୁ ଅନେକ ଦିଗରେ କ୍ଷତି ପହଂଚାଇଥାଏ । ବଜ୍ରପାତରେ ମୃତ୍ୟୁବରଣ କରିଥିବା ଅଧିକାଂଶଙ୍କ କ୍ଷେତ୍ରରେ ବଜ୍ରପାତ ଜଣେ ବ୍ୟକ୍ତିଙ୍କୁ ସିଧାସଳଖ ଆଘାତ କରେ । ତଥାପି, ଏପରି ମାମଲା ବିରଳ । କିନ୍ତୁ ବିପଜ୍ଜନକ । ଯେତେବେଳେ ଜଣେ ବ୍ୟକ୍ତି ଖୋଲା ପଡ଼ିଆରେ ଥାଏ, ଏଭଳି ଘଟଣା ଘଟିଥାଏ । ଏପରି ପରିସ୍ଥିତିରେ ପ୍ରାୟତଃ ମୃତ୍ୟୁ ଘଟେ ।
ଦ୍ୱିତୀୟ କ୍ଷେତ୍ରରେ, ବଜ୍ରପାତ ହେତୁ ଉତ୍ତାପ ଚର୍ମକୁ ଜାଳିଦିଏ । ଏହା ଯେପରି ଏକ କରେଂଟ୍ ଆଘାତ ହେବା ଭଳି ସମଗ୍ର ଶରୀରକୁ ହଲେଇ ଦିଏ ଓ କ୍ଷତି ଘଟାଏ । ବର୍ଷା ସମୟରେ, ଯେଉଁମାନେ ଗଛ କିମ୍ବା ଘରର ବିଭିନ୍ନ ପାଖ ଖୋଲା ରହିଥିବା ଆବରଣ ତଳେ କୌଣସି ସ୍ଥାନରେ ଅଟକି ଯାଆନ୍ତି, ସେମାନେ ଏଭଳି ବଜ୍ରପାତ ପ୍ରଭାବର ସମ୍ମୁଖୀନ ହୁଅନ୍ତି । ଏଭଳି କ୍ଷେତ୍ରରେ ମଧ୍ୟ ବଜ୍ରପାତର ସମ୍ମୁଖୀନ ହୋଇଥିବା ବ୍ୟକ୍ତି ଗୁରୁତର ଆହତ ହେଉଥିବା ବେଳେ କେଉଁଠି କେମିତି ମୃତ୍ୟୁବରଣ ମଧ୍ୟ କରିଥାନ୍ତି ।
ଦେଶର ପ୍ରଥମ ବାର୍ଷିକ ବଜ୍ରପାତ ରିପୋର୍ଟ ୨୦୧୯-୨୦ ଅନୁଯାୟୀ, ବର୍ଷା ହେବା ସମୟରେ ଲୋକେ ଗଛ ତଳେ ଠିଆ ହୋଇଥିବା ବେଳେ ସର୍ବାଧିକ ସଂଖ୍ୟକ ବଜ୍ରପାତ ଦେଖିବାକୁ ମିଳିଥିଲା । ଭାରତରେ ୭୧ ପ୍ରତିଶତ ମାମଲା ଏହିପରି ଥିଲା । ୨୫ ପ୍ରତିଶତ ମାମଲାରେ ସିଧାସଳଖ ବଜ୍ରପାତ ଯୋଗୁଁ ମୃତ୍ୟୁ ଘଟିଥିଲା ।
ଏନ୍ଡବ୍ଲୁଏସ୍ ଅନୁଯାୟୀ, ଯେଉଁ ସ୍ଥାନରେ କରେଂଟ ବିସ୍ତାର ହୋଇଛି ସେହି ସ୍ଥାନରେ ବଜ୍ରପାତ ହେତୁ ମୃତ୍ୟୁ ଓ ଆଘାତ ହେବାର ଆଶଙ୍କା ଅଧିକ ରହିଛି । ଏହା ଘଟେ କାରଣ ଭୂମି ଦ୍ୱାରା କରେଂଟ ଏକ ବଡ଼ ଅଞ୍ଚଳରେ ବ୍ୟାପିଥାଏ । ଏହାର ପ୍ରଭାବ ଭୂମି ସାହାଯ୍ୟରେ ବହୁ ଦୂରରୁ ଦୃଶ୍ୟମାନ ହୋଇଥାଏ ।