ସଇଁତଲା ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତକୁ ନେଇ ବଜରଙ୍ଗ ଦଳ ଦାବୀପତ୍ର

  • ଡେଙ୍ଗୁ ନେଲ ଆଉ ଜଣେ ଯୁବକଙ୍କ ଜୀବନ ଓ ପ୍ରଶାସନ ନୀରବ

ସଇଁତଲା, (ପ୍ରମୋଦ ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଦିନକୁ ଦିନ ପରିମଳ ବ୍ୟବସ୍ଥା ଭୁଶୁଡି ପଡିବା ସହ ସମସ୍ତ ରାସ୍ତାଘାଟ ମଧ୍ୟ ଖାଲଢିପରେ ଶୋଚନୀୟ ହୋଇପଡିଛି । ଏପରିକି ୨ ମାସ ତଳେ ଜଣେ ଯୁବକଙ୍କ ଡେଙ୍ଗୁ ରୋଗରେ ଜୀବନ ଯାଇଥିବା ବେଳେ ପୁଣି ଆଉ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି । ଏହି ଡେଙ୍ଗୁ ରୋଗରେ ସହରର ପ୍ରାୟ ୮୦ରୁ ଅଧିକ ଜଣ ରୋଗୀ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ଏବେ ବି ସହରର ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇପଡିଛି । ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବଜରଙ୍ଗ ଦଳ ତରଫରୁ ସଇଁତଲା ବିଡ଼ିଓଙ୍କ ଅନୁପସ୍ଥିତରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପେନ୍ଦ୍ର ମାଝୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଯଦି ଏ ଦିଗରେ ପ୍ରଶାସନ କୋଣସି ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ୭ ଦିନ ମଧ୍ୟରେ ଆନ୍ଦୋଳନ କରିବା ଚେତାବନୀ ଦେଇଛନ୍ତି । ପ୍ରକାଶ ଯେ, ଏହି ସଇଁତଲା ସହରରେ ଥିବା ସମସ୍ତ ଡ୍ରେନ ଗୁଡିକ ସଫାସୁତାର କରାଯାଉ ନାହିଁ । ଫଳରେ ଦୁର୍ଗନ୍ଧରେ ଲୋକଙ୍କ ନାକ ଫାଟି ଯାଉଛି । ଏପରିକି ସହରର ରାସ୍ତାଘାଟର ମଧ୍ୟ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି । ବର୍ତ୍ତମାନ ଆଗକୁ ଦଶହରା ଦୁର୍ଗାପୂଜା ଆସୁଥିବା ବେଳେ ସହରର ସମସ୍ତ ଗଳିକନ୍ଦି ରାସ୍ତା ଘାଟର ଖାଲଢିପ ଯୋଗୁଁ ଲୋକେ ଦୁର୍ଘଟଣାର ଶିକାର ହେବାକୁ ପଡୁଛି । ଏହାର ତୁରନ୍ତ ମରାମତି କରାଯିବା ସହିତ ଡ୍ରେନ ଗୁଡିକରେ ଅଳିଆ ଆବର୍ଜନାରେ ଭର୍ତି ହୋଇ ପଡିଥିବା ଯୋଗୁଁ ତାର ମଧ୍ୟ ଶୀଘ୍ର ସଫା ସୁତୁରା କରାଯାଉ ବୋଲି ବଜରଙ୍ଗ ଦଳ ତରଫରୁ ଦାବୀ କରିଛନ୍ତି । ଏହି ଦାବୀପତ୍ର ସମୟରେ ବ୍ଲକ ସଂଯୋଜକ ଯୁବରାଜ ନାଏକ, ସହ ସଂଯୋଜକ ରାକେଶ ସାହୁ, କ୍ଷୀରସିନ୍ଧୁ ସୁନା ଓ ରୋଶନ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.