ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ନିମନ୍ତେ ଟାକ୍ସ ଫୋର୍ସ କମିଟି ବୈଠକ

  • ଫେବୃଆରୀ ୧୦ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ତରଭା ବୈଠକ ପ୍ରକୋଷ୍ଠରେ ସ୍ଵତନ୍ତ୍ର ଟୀକାକରଣ ଅଭିଯାନ ଓ ଜାତୀୟ କୃମିନାଶକ ଦିବସ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱନେ ଅଧ୍ୟକ୍ଷତା କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ସମସ୍ତ ଆଶା କର୍ମୀ, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଓ ପରିଦର୍ଶକ, ସିଡିପିଓ ସବିତା ଦୋରା, ଏବିଇଓ ସତ୍ୟନାରାୟଣ ମହାପାତ୍ର, ସିଡିଏମ ଏଣ୍ଡ ପିଏଚଓ ଡ଼ା. ବିଶ୍ୱରଂଜନ ପତି, ଏଡିପିଏଚଓ (ଏଫ ଡବ୍ଲୁ ) ଡ଼ା. ଦୈତ୍ୟ ନାରାୟଣ ପାଢ଼ୀ, ଡିଏମଆରସିଏଚ ସୁଧାଂଶୁ ଶେଖର ନାୟକ ଓ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡ଼ା. କ୍ଷୀରୋଦ୍ର କୁମାର ମିଶ୍ର ଉପସ୍ଥିତ ଥିଲେ । ଆସନ୍ତା ଫେବୃଆରୀ ୧୦ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ସ୍ୱତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମକୁ ସଫଳ କରାଇବା ନିମନ୍ତେ ଗୋଷ୍ଠୀ ସ୍ତରରେ ସୁବ୍ୟବସ୍ଥିତ ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି, ଯେପରି ଜଣେ ମଧ୍ୟ ହିତାଧିକାରୀ ଏହି କାର୍ଯ୍ୟକ୍ରମରୁ ବାଦ୍‌ ନ ପଡ଼ିବେ ସେଥିପାଇଁ ଯତ୍ନବାନ ହେବାକୁ ତାଗିଦ କରିଛନ୍ତି । ଜିଲ୍ଲା କାର୍ଯ୍ୟାଳୟରୁ ଆସିଥିବା ଡିଏମଆରସିଏଚ ଶ୍ରୀ ନାୟକ ଉପସ୍ଥିତ କର୍ମୀମାନଙ୍କୁ ଏହି ଅଭିଯାନ ସମ୍ପକିତ ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବିପିଏମ ଅଶୋକ କୁମାର ମିଶ୍ର, ପିଏଚଇଓ ଅମିତା ଚାନ୍ଦ ପରିଚାଳନା କରିଥିଲେ । ସଭା ଶେଷରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ପୋଷ୍ଟର ଉନ୍ମୋଚନ କରାଯାଇଥିଲା । ଏହି ସ୍ୱତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ଆସନ୍ତା ଫେବୃଆରୀ ୧୦, ୧୧, ୧୩, ୧୪, ୧୬, ୧୭, ୧୮ ତାରିଖ ଓ ଦ୍ଵିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୧୧, ୧୩, ୧୪, ୧୬, ୧୭, ୧୮, ୨୦ ତାରିଖରେ ତରଭା ବ୍ଲକ ନିମନ୍ତେ ଅନୁଷ୍ଠିତ ହେବ । ଆଜିର ଏହି ବିଶେଷ ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!