ଭୁବନେଶ୍ୱର, (କେପିଏନ୍ଏସ୍) : ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର କାର୍ଯ୍ୟକାରୀ କମିଟିର ତୃତୀୟ ବୈଠକ ଓଡିଶା ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଆଗାମୀ ଦିନରେ ରାଜ୍ୟର ପିଲାମାନଙ୍କର ଗୁଣାତ୍ମକ ଶିକ୍ଷା ବିକାଶର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ରାଜ୍ୟରେ ବିଦ୍ୟାଳୟ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ମହାପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ୫-ଟି ମାଧ୍ୟମରେ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟ ଗୁଡ଼ିକରେ ଶୈକ୍ଷିକ ବାତାବରଣ ଉପରେ ନଜର ରଖିବା ସହ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ ଏବଂ ପରୀକ୍ଷାଗାରରେ ଉପଲବ୍ଧ ଆଧୁନିକ ଉପକରଣ ମାଧ୍ୟମରେ ଶିକ୍ଷାଦାନ ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଉକ୍ତ ବୈଠକରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଓ ଷ୍ଟାରସ୍ର ୨୦୨୧-୨୨ ଆର୍ଥିକ ବର୍ଷର ବାର୍ଷିକ ବିବରଣୀ ଓ ଆୟବ୍ୟୟର ହିସାବ ସମ୍ବନ୍ଧୀୟ ପୁସ୍ତିକାକୁ ଅନୁମୋଦନ କରାଯାଇଥିଲା । ଓସେପା ଦ୍ୱାରା ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମର କିଭଳି ସଫଳ ରୂପାୟନ ହୋଇପାରିବ ସେ ବିଷୟରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଶ୍ରୀମତୀ ଅଶ୍ଵଥୀ.ଏସ୍. ଏବଂ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ବିଭିନ୍ନ ବିଭାଗର ଅଧିକାରୀ ଓ କାର୍ଯ୍ୟକାରୀ କମିଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
Next Post