- ଉତ୍ତମ ସମନ୍ଵୟ ମାଧ୍ୟମରେ ଯୋଜନାଗୁଡିକର ସଫଳ ରୂପାୟନ ଉପରେ ଗୁରୁତ୍ଵାରୋପ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ପୂର୍ବାହ୍ନରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ଜିଲ୍ଲା ପରିଷଦର ବୈଠକ ଜିଲ୍ଲା ପରିଷଦର ଅଧ୍ୟକ୍ଷ୍ୟା ଦେବକୀ ସାହୁଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ଟୁକୁନି ସାହୁ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ୍ୟା ମିଥିଳା ମାଝି, ବଲାଙ୍ଗିର ଲୋକସଭା ସାଂସଦଙ୍କ ପ୍ରତିନିଧି ମାଧବ କୁମାର ସାଏ, ବଲାଙ୍ଗିର ବିଧାୟକଙ୍କ ପ୍ରତିନିଧି ସରୋଜ କୁମାର ରଥ, ଲୋଇସିଂହା ବିଧାୟକଙ୍କ ପ୍ରତିନିଧି ଦେବିଲାଲ ମିଶ୍ର, ଡିଏଫ୍ଓ ନିତୀଶ କୁମାର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂଙ୍କ ସମେତ ଜିଲ୍ଲା ପରିଷଦର ସଭ୍ୟ, ସଭ୍ୟା, ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଅଧ୍ୟକ୍ଷା, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲା ପରିଷଦର ଅଧ୍ୟକ୍ଷେ ଶ୍ରୀମତୀ ସାହୁ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ଉତ୍ତମ ସମନ୍ଵୟ ମାଧ୍ୟମରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନ ଓ ଲୋକାଭିମୁଖୀ ଯୋଜନାଗୁଡିକର ସଫଳ ରୂପାୟନ ଦିଗରେ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ବିଭିନ୍ନ ଅଞ୍ଚଳର ଜନସାଧାରଣଙ୍କ ସମସ୍ୟାଗୁଡିକର ସମାଧାନ ଦିଗରେ ବିଭାଗୀୟ ଅଧିକାରୀମାନେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ । ବୈଠକରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଜନ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ପାଇପ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ବିଦ୍ୟୁତ ଯୋଗାଣ ହୋଇ ନଥିବା ପ୍ରକଳ୍ପ ଗୁଡିକୁ ଶୀଘ୍ର ବିଦ୍ୟୁତ ଯୋଗାଣ ଉପରେ ଆଲୋଚନା ହୋଇଥିଲା । କୃଷି ବିଭାଗ ସମ୍ପର୍କରେ ଆଲୋଚନା କରାଯାଇ ଚଳିତ ବର୍ଷ ଚାଷୀଙ୍କୁ ଯୋଗାଇ ଦିଆଯାଇଥିବା ସାର, ମିନି କୀଟ, ବ୍ଲକ ଗୁଡିକରେ ଶୀତଳ ଭଣ୍ଡାର ସ୍ଥାପନ, ଇନପୁଟ ସବସିଡି ଉପରେ ସବିଶେଷ ଆଲୋଚନା କରାଯାଇଥିଲା । ପ୍ରାଥମିକ ଶିକ୍ଷା ଓ ଗଣ ଶିକ୍ଷା ବିଭାଗ ସମ୍ପର୍କରେ ଆଲୋଚନା କରାଯାଇ ବିଭିନ୍ନ ବ୍ଲକରେ ଖାଲିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ପୂରଣ ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ଦେବା, ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି, ଶିକ୍ଷକ ସ୍ଥିତି, ଛାତ୍ରୀମାନଙ୍କ ନିମନ୍ତେ ବିଦ୍ୟାଳୟ ଗୁଡିକରେ ନିର୍ମିତ ଶୌଚାଳୟ ଗୁଡିକର ସୁପରିଚାଳନା ସମ୍ପର୍କରେ ଆଲୋଚନା ହୋଇଥିଲା । ଅଙ୍ଗନବାଡି ଗୃହ ନିର୍ମାଣ ସମ୍ପର୍କରେ ଆଲୋଚନା କରାଯାଇ ସମ୍ପୂର୍ଣ୍ଣ ହୋଇଥିବା ଗୃହ ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ସହ ଅସମ୍ପୂର୍ଣ୍ଣ ଅଙ୍ଗନବାଡି ଗୃହ ଗୁଡିକର ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଯୋଗାଇ ଦିଆଯାଉଥିବା ଛତୁଆର ଉତ୍ତମ ଗୁଣବତ୍ତାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଉଥିବା ଭତ୍ତା ତଥା ସହାୟତା ଓ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲା ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟଗୁଡିକର ଶିକ୍ଷକ ସ୍ଥିତି, ଛାତ୍ରାବାସଗୁଡିକର ପରିଚାଳନା ଓ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମର ଅଗ୍ରଗତି ଉପରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ଚଳିତ ଖରିଫ ଧାନ ସଂଗ୍ରହ ସମ୍ପର୍କିତ ବିଭିନ୍ନ ବ୍ୟବସ୍ଥା ଓ ସମସ୍ୟା ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା । ବୈଠକରେ ପ୍ରାଣୀ ସମ୍ପଦ, ମତ୍ସ ବିଭାଗର କାର୍ଯ୍ୟାବଳି ଉପରେ ଆଲୋଚନା ହେବା ସହ ଜିଲ୍ଲାରେ ବିଭିନ୍ନ ସିଏଚ୍ସି, ପିଏଚ୍ସିଗୁଡିକର ନୂତନ କୋଠା ନିର୍ମାଣର ଅଗ୍ରଗତି, ଡାକ୍ତରଙ୍କ ସ୍ଥିତି ଓ ଚିକିତ୍ସା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ଏତଦ ବ୍ୟତୀତ ଉଠାଜଳସେଚନ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଜରିଆରେ ନିର୍ମିତ ରାସ୍ତା, ବିଭିନ୍ନ ରାସ୍ତାର ନିର୍ମାଣର ଅଗ୍ରଗତି, ଫାର୍ମ ପଣ୍ଡ, ଲେମନ ଗ୍ରାସ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲା ପରିଷଦ ବୈଠକ ଉପଯୁକ୍ତ ସମୟରେ ଅନୁଷ୍ଠିତ ହେବା, ଜିଲ୍ଲା ପରିଷଦର ବିଭିନ୍ନ ସବ୍ କମିଟିଗୁଡିକର ବୈଠକ ନିୟମିତ ବ୍ୟବଧାନରେ ଆୟୋଜନ କରିବା ସହ ଜିଲ୍ଲା ପରିଷଦର ସଭ୍ୟ, ସଭ୍ୟା, ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଅଧ୍ୟକ୍ଷାମାନେ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ବୈଠକରେ ଉପସ୍ଥାପନ କରିଥିଲେ । ବୈଠକ ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।