ଗଞ୍ଜାମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନୂତନ ଗୃହ ପ୍ରବେଶ ଓ ରୋଗୀ କଲ୍ୟାଣ ସମିତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବୁଧବାର ଦିନ ନୂତନ ଗୃହ ପ୍ରବେଶ ଓ ରୋଗୀ କଲ୍ୟାଣ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରୋଗୀ କଲ୍ୟାଣ ସମିତି ବୈଠକରେ ସମିତିର ଅଧ୍ୟକ୍ଷ ତଥା ୧୫ ନମ୍ବର ଜିଲ୍ଲା ପରିଷଦ ଜୋନ ସଭ୍ୟ ସନାତନ ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଞ୍ଜାମ ଏନ୍‌ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡାକ୍ତର ସୋମ୍ୟକାନ୍ତ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଗଞ୍ଜାମ ସ୍ୱାସ୍ଥ୍ୟକେନ୍ଦ୍ର ଆୟୁଷ ଡାକ୍ତର ବନଜ କାନ୍ତ କର ସଂଯୋଜନା କରିଥିଲେ । ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିତା, ଆସୁଥିବା ଫଣ୍ଡ ବିନିଯୋଗ, ନୂତନ ଭାବେ ନିର୍ମାଣ ହେବାକୁ ଥିବା କୋଠା ପାଇଁ ସମସ୍ତଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ । ଗଞ୍ଜାମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ପ୍ରାୟ ୩୦ ଗ୍ରାମର ଲୋକ ନିର୍ଭର କରନ୍ତି । ସ୍ୱାସ୍ଥ୍ୟକେନ୍ଦ୍ର ବୃଦ୍ଧି ଓ ସୁନ୍ଦର କରିବା ପାଇଁ ଗଞ୍ଜାମବାସୀଙ୍କ ସହଯୋଗରେ ପ୍ରାୟ ଏକ ଏକର ଜମି ଆବଶ୍ୟକ । ଗଞ୍ଜାମବାସୀଙ୍କ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ଅଭାବୀ ପୂରଣ, ରୋଗ ନିରାକରଣ ନେଇ ଜନ ସଚେତନତା ସୃଷ୍ଟି କରିବା ବ୍ୟବସ୍ଥା ଓ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଆନୁସାଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା । ବିପିଏମ ସରୋଜ କୁମାର ମହାନ୍ତି, ବିଏଚଇଓ ସଂଯୁକ୍ତା ଜେନା, ଫର୍ମାସିଷ୍ଟ ଶ୍ରୀମୟ ରଥ ପ୍ରମୁଖଙ୍କ ସମେତ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.