ହକି ବିଶ୍ୱକପର ସୁପରିଚାଳନା ଏବଂ ଆଇଟି ଭିତ୍ତିଭୂମି ବିକାଶ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁଆରୀ ୨୦୨୩ରେ ପୁରୁଷ ହକି ବିଶ୍ୱକପ ଆୟୋଜିତ ହେବାକୁ ଥିବାବେଳେ ଚଳିତ ନଭେମ୍ବରରେ ମେକ୍‌ ଇନ୍‌ ଓଡିଶା କନକ୍ଳେଭ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ଓଡ଼ିଶା ଦ୍ରୁତ ପ୍ରଗତି ପଥରେ ଅଗ୍ରସର ହେଉଛି । ଏହି କ୍ରମରେ କ୍ରୀଡ଼ା ଓ ଆଇଟି ଭିତ୍ତିଭୂମିର ବିକାଶ ଏବଂ ୫ଟି ଉପକ୍ରମ ନେଇ ପୃଥକ ପୃଥକ ସମୀକ୍ଷା ବୈଠକ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କ୍ରୀଡ଼ା ଓ ଯୁବସେବା ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ବେହେରା ୨୦୨୩ରେ ହେବାକୁ ଥିବା ହକି ବିଶ୍ୱକପ ଆୟୋଜନ ଏବଂ ସୁପରିଚାଳନା ନେଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ବିଗତ ୨୦୧୮ ହକି ପୁରୁଷ ବିଶ୍ୱକପ ସଫଳତାକୁ ପାଥେୟ କରି ଏଥର ବିଶ୍ୱକପକୁ ଅଧିକ ସଫଳ କରିବା ପାଇଁ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ମିଳିତ ଉଦ୍ୟମ ଓ ପ୍ରଚେଷ୍ଟା ଲୋଡ଼ା ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ଓଡ଼ିଶା ସମଗ୍ର ବିଶ୍ୱରେ ଏକ କ୍ରୀଡ଼ା ହବର ମାନ୍ୟତା ହାସଲ କରିପାରିଛି । ଅନେକ ଗୁଡିଏ ମେଗା ଇଭେଣ୍ଟ ଆୟୋଜନ ସହ ଉନ୍ନତ କ୍ରୀଡ଼ା ଭିତ୍ତିଭୂମିରେ ଓଡିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି । ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ । ଏହି ବୈଠକରେ ମନ୍ତ୍ରୀ ରାଉରକେଲା ସ୍ଥିତ ହକି ତାଲିମ କେନ୍ଦ୍ର ସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କ ଠାରୁ ପଚାରି ବୁଝିବା ସହ ବିଭିନ୍ନ ଜିଲ୍ଲାରେ ଥିବା ସମନ୍ୱିତ କ୍ରୀଡ଼ା କେନ୍ଦ୍ର, କଳିଙ୍ଗ ସମନ୍ୱିତ କ୍ରୀଡ଼ା କେନ୍ଦ୍ର, ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ବିକାଶ, କଳିଙ୍ଗ ଷ୍ଟାଡିୟମ ସମ୍ପ୍ରସାରଣ ପ୍ରକଳ୍ପ, ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ଓ କ୍ରୀଡ଼ାବିତଙ୍କ ଦକ୍ଷତା ବିକାଶ ସହ ବିଭାଗର ୫ଟି ଉପକ୍ରମ ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ କମିଶନର ତଥା ଶାସନ ସଚିବ ଆର. ଭିନୀଲ କ୍ରିଷ୍ଣା, ଯୁଗ୍ମ ଶାସନ ସଚିବ ବିଜୟାନନ୍ଦ ନାୟକ, ରଞ୍ଜିତ ପରିଡା, କୈଳାଶ ଚନ୍ଦ୍ର ଦାସ, ଦିଲ୍ଲୀପ କୁମାର ଜେନାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସେହିପରି ମନ୍ତ୍ରୀ ଶ୍ରୀ ବେହେରା ଓକାକ୍ ପରିସରରେ ନୂଆ ଅତ୍ୟାଧୁନିକ ଭିସି ଷ୍ଟୁଡ଼ିଓକୁ ଉଦ୍‌ଘାଟନ କରିବା ସରକାରୀ କ୍ଷେତ୍ରରେ ଆଇଟିର ଅନ୍ତର୍ଭୁକ୍ତିକରଣ, ମୋ ସେବା କେନ୍ଦ୍ର ଜରିଆରେ ରାଜ୍ୟର ସାଧାରଣ ଜନତାଙ୍କୁ ଉତ୍ତମ ସେବା ପ୍ରଦାନ, ଆଇଟି ଭିତ୍ତିଭୂମିର ସୁଦୃଢ଼ୀକରଣ, ରାଜ୍ୟରେ ଆଇଟି କମ୍ପାନୀମାନ ପ୍ରତିଷ୍ଠା ସହ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ ମନ୍ତ୍ରୀ ଶ୍ରୀ ବେହେରା ସମୀକ୍ଷା ବୈଠକରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ନିକଟରେ ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀ ଆୟୋଜିତ ହେବାକୁ ଥିବା ବେଳେ ରାଜ୍ୟର ଆଇଟି କ୍ଷେତ୍ରକୁ କିଭଳି ଭାବେ ପ୍ରଦର୍ଶିତ କରିହେବ ସେ ନେଇ ଏକ ସ୍ୱତନ୍ତ୍ର ରୋଡ ମ୍ୟାପ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ବେହେରା ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ସଚିବ ମନୋଜ କୁମାର ମିଶ୍ର, ଓକାକ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ପଟ୍ଟନାୟକ, ସାଧାରଣ ପରିଚାଳକ ମଧୁମିତା ରଥ ଏବଂ ପ୍ରଶାସନିକ ଅଧିକାରୀ ପ୍ରବୋଧ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.