- ବିଦ୍ୟୁଷ ମନୋଭାବ ଦୂର କରି କାମ କଲେ ବିଞ୍ଝାଲ ସମାଜର ଏକତା ଅଖଣ୍ଡତା ବଜାୟ ରଖିବା ସହ ସାମଗ୍ରିକ ବିକାଶ ହେବ
ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଲରମ୍ଭା ଗ୍ରାମର ବାଗପଡା ଠାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜର ଏକ ବୈଠକ ଉପଲାଟ ସଭାପତି ତଥା ବଲାଙ୍ଗିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଉପସଭାପତି ଅର୍ଜୁନ ବରିହା, ବଲାଙ୍ଗିର ବ୍ଲକ ସଭାପତି କୁଶ ବରିହା, ଜିଲ୍ଲା କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା, ଖପ୍ରାଖୋଲ ବ୍ଲକ ସଭାପତି ଚନ୍ଦ୍ରଶେଖର ବରିହା, ଜିଲ୍ଲା ମିଡ଼ିଆ ସେଲ ସଂଯୋଜକ ଗୋରେଖନାଥ ବରିହା, ପାଟଣାଗଡ଼ ବ୍ଲକ କୋଷାଧ୍ୟକ୍ଷ ଗୌରୀ ଶଙ୍କର ବରିହା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସମାଜର ଇଷ୍ଟଦେବୀ ମା’ ବିନ୍ଧ୍ୟବାସିନୀଙ୍କ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାରେ ସ୍ୱର୍ଗତ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାରେ ହରିଶଙ୍କର ସ୍ଥିତ ମା’ ବିନ୍ଧ୍ୟବାସିନୀଙ୍କ ମନ୍ଦିର ଭଗ୍ନ ଅବସ୍ଥାରେ ଥିବା ହେତୁ ଏହାକୁ ନିର୍ମାଣ କରିବାପାଇଁ ସମସ୍ତଙ୍କ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ଉପଲାଟ ସଭାପତି ଶ୍ରୀ ବାଗ ଅନୁରୋଧ କରିଥିଲେ । ବିଞ୍ଝାଲ ସମାଜର ଏକତା, ସୁଦୃଢ, ଶିକ୍ଷା ସ୍ଵାସ୍ଥ୍ୟ, ଅର୍ଥନୈତିକ ବିକାଶ ଆଦି ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ବିଞ୍ଝାଲ ସମାଜର ଏକତା ଅଖଣ୍ଡତା ବଜାୟ ରଖିବା ପାଇଁ ସମାଜର ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ହେଲେ ନିଜର ବିଦ୍ୟୁଷ ମନୋଭାବ ଦୂର କରି ସମାଜ କାମ ପାଇଁ ଆଗେଇ ଆସିଲେ ସମାଜ ବହୁବିଧ ଉନ୍ନତି ହୋଇପାରିବ ବୋଲି ସମ୍ମତି ପ୍ରକାଶ ପାଇଥିଲା । ଏଥିରେ ସଦସ୍ୟ ସଦାନନ୍ଦ ବରିହା, ଗନ୍ଧର୍ବ ବରିହା, କାଶିନାଥ ବରିହା, ମନୋହର ବରିହା, ଭୋଜରାଜ ବରିହା, ଲିଟି ବରିହାଙ୍କ ସହ ଅନ୍ୟ ଶତାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ । ଗୌରୀ ଶଙ୍କର ବରିହା ସଭା ପରିଚାଳନା କରିଥିବା ବେଳେ ଯୁଗଳ କିଶୋର ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।