ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସାଧାରଣ ପରିଷଦ ବୈଠକ

  • ଅବହେଳିତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ ପ୍ରତି ସ୍ୱତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ ଦାବୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଇ ଆସୁଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ କ୍ରମାଗତ ଭାବେ ସରକାରୀ ଅବହେଳାର ଶିକାର ହୋଇ ଆସୁଥିବାରୁ ଏହାର ପ୍ରତିକାର ପାଇଁ ରାଜ୍ୟର କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକମାନଙ୍କ ଏକ ରାଜ୍ୟସ୍ତରୀୟ ସଂଗଠନ ଗଠନ କରାଯାଇଛି । ଭୁବନେଶ୍ୱରସ୍ଥିତ ଉତ୍କଳ ସାମ୍ବାଦିକ ସଂଘ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ବରିଷ୍ଠ ସାମ୍ବାଦିକ ତଥା ନବୀନ ସମ୍ବାଦପତ୍ରର ସମ୍ପାଦକ ରବି ରଥ ଅଧ୍ୟକ୍ଷତା କରିଥିଲେ । ସ୍ଥାନୀୟ ଖବର ପ୍ରକାଶନ କ୍ଷେତ୍ରରେ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୁମିକା ଥିବା ବେଳେ ଏପରି ସମ୍ବାଦପତ୍ର ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ପରିତ୍ୟାଗ କରି ଆବଶକୀୟ ସହଯୋଗ ଯୋଗାଇ ଦେବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା । ସମସ୍ୟାର ସମାଧାନ ପାଇଁ ଅକ୍ଟୋବର ଶେଷ ସପ୍ତାହରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀଙ୍କ ସହ ସବିଶେଷ ଆଲୋଚନା ପାଇଁ ନିଷ୍ପତ୍ତି ହୋଇଥିଲା । ମୁଖ୍ୟତଃ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକୁ ବିଜ୍ଞାପନ ପ୍ରଦାନ ପାଇଁ ଏକ ସ୍ୱତନ୍ତ୍ର ନୀତି ପ୍ରଣୟନ, ଆରଏନଆଇ ସ୍ୱୀକୃତିପ୍ରାପ୍ତ ସମ୍ବାଦପତ୍ରର ମାଲିକ/ସମ୍ପାଦକ /ପ୍ରକାଶକମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପରିସରଭୁକ୍ତ କରିବା, ସରକାରଙ୍କ ସ୍ୱୀକୃତି ଅନୁମୋଦନ ପାଇଁ ଆବେଦନ କରିଥିବା ସମ୍ବାଦପତ୍ରଗୁଡ଼ିକ ପ୍ରତି କୋହଳ ମନୋଭାବ ଗ୍ରହଣ ସହ ସ୍ୱୀକୃତି ପ୍ରଦାନ କରିବା, ସମସ୍ତ ରାଜ୍ୟସ୍ତରୀୟ ଓ ଜିଲାସ୍ତରୀୟ ସ୍ୱୀକୃତିପ୍ରାପ୍ତ ସମ୍ପାଦକମାନଙ୍କୁ ବାସଗୃହ ତଥା କାର୍ଯ୍ୟାଳୟ ପାଇଁ ସରକାରୀ କୋଠରୀ ଯୋଗାଇଦେବା । ଏ ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଉକ୍ରଳ ସାମ୍ବାଦିକ ସଂଘର ସଭାପତି ତଥା ଆହ୍ୱାନର ସମ୍ପାଦକ ବିଭୂତି ଭୂଷଣ କର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସଂଗଠନର ପୂର୍ଣ୍ଣାଙ୍ଗ ସମ୍ମିଳନୀ ହେବା ପର୍ଯ୍ୟନ୍ତ ରବି ରଥଙ୍କୁ ଆବାହକ ଭାବେ ମନୋନୀତ କରାଯାଇଛି । ଆଲୋଚନାରେ କଳିଙ୍ଗ ପ୍ରଭାର ସମ୍ପାଦକ ପ୍ରଦୀପ୍ତ କୁମାର ପରିଡ଼ା, ପର୍ଯ୍ୟବେକ୍ଷକର ସହ ସମ୍ପାଦକ ରଜନୀକାନ୍ତ ସାମନ୍ତରାୟ, ଅଭିନନ୍ଦନର ସମ୍ପାଦକ ଜଗଦିଶ ମିଶ୍ର, ଘଟଣାଚକ୍ର ସମ୍ପାଦକ ଭଜରାମ ମହାପାତ୍ର ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରସ୍ତାବ ଆଗତ କରି ରାଜ୍ୟର ସମସ୍ତ ସମ୍ପାଦକ ଓ ପ୍ରକାଶକମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଆହ୍ୱାନ ଦେଇଥିଲେ । ଆଲୋଚକମାନଙ୍କ ମଧ୍ୟରେ ସୂର୍ଯ୍ୟାସ୍ତର ସମ୍ପାଦକ ବିବେକାନନ୍ଦ ରାୟ, ଅନେକ ସୂଚନାର ସମ୍ପାଦକ ନିତ୍ୟ ନିରଞ୍ଜନ ପଣ୍ଡା, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ଦାଶ, ବୀର କଳିଙ୍ଗର ଜାମିନୀ କୁମାର ସ୍ୱାଇଁ, ଆଶା ପ୍ରଦୀପର ସମ୍ପାଦକ ବ୍ରାହ୍ମପ୍ରିୟା ସାମନ୍ତରାୟ, ଲୋକଭାଷାର ସମ୍ପାଦକ ସୁକଦେବ ପରିଡ଼ା, ଆଗାମୀକାଲିର ସମ୍ପାଦକ ସଞ୍ଜୟ ଦାଶ, ସତ୍ୟ ଖବରର ସମ୍ପାଦକ ଅକ୍ଷୟ ନାୟକ, ସମୀକ୍ଷାର ସମ୍ପାଦକ ଆଲୋକ ଦେହୁରି, ମୁକସାକ୍ଷୀର ସମ୍ପାଦକ ଦେବନାରାୟଣ ଆଚାର୍ଯ୍ୟ, ଅପରାହ୍ନର ସମ୍ପାଦକ ବଂଶୀଧର ଜେନା, ଓଡ଼ିଶା ମିରର ସମ୍ପାଦକ ଦିଲ୍ଲୀପ କୁମାର ବିଶ୍ୱାଳ, ସ୍ୱତନ୍ତ୍ର ଖବରର ସମ୍ପାଦକ ରାକେଶ କୁମାର ପରି, ଯୋଗେନ୍ଦ୍ର ବେହେରା, ନଗେନ କୁମାର ନାୟକ, ମହେନ୍ଦ୍ର କୁମାର ଚୌଧୁରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୫୦ ଜଣ ସମ୍ପାଦକ ଯୋଗ ଦେଇଥିଲେ । ଶେଷରେ ପରିବର୍ତ୍ତନର ସମ୍ପାଦକ ରମାକାନ୍ତ ପରିଜା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!