କୃଷି ନିର୍ଦ୍ଧାରଣ କମିଟି ବୈଠକ ଅଧାରୁ ଅଟକିଲା, ଦରମା ବନ୍ଦ ନିର୍ଦ୍ଦେଶ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଖରିଫ୍‌-୨୦୨୨ ପାଇଁ ଜିଲା କୃଷି ନିର୍ଦ୍ଧାରଣ ବୈଠକରେ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଉପସ୍ଥିତ ଅଧିକାରୀଙ୍କୁ ତାଗିଦ୍‌ କରିବା ଏବଂ ବୈଠକ ଅଧାରୁ ଅଟକିଯିବା ଘଟଣା ଜିଲ୍ଲା ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । କେବଳ ସେତିକି ନୁହେଁ, ଜିଲ୍ଲାପାଳ ବାନାର୍ଜୀ ବୈଠକରେ ଅନୁପସ୍ଥିତ କର୍ମଚାରୀ ଏବଂ ଠିକ୍‌ ତଥ୍ୟ ଦେଇ ପାରି ନଥିବା ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପୁଣି ଆସନ୍ତା ୨୨ତାରିଖ ସନ୍ଧ୍ୟା ୫ଟାରେ ଉକ୍ତ ବୈଠକ ହେବ ବୋଲି ସୂଚନା ଦିଆଯାଇଛି । ପ୍ରକାଶ ଯେ, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଉକ୍ତ ବୈଠକ ଆରମ୍ଭ ହୋଇଥିଲା । ବୈଠକରେ ଜିଲା ମୁଖ୍ୟ କୃଷି ଅଧିକାରୀ ସନ୍ତୋଷ କୁମାର ମହାରଣାଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ, କର୍ମଚାରୀମାନେ ଉପସ୍ଥିତ ଥିଲେ ଓ କିଛି କର୍ମଚାରୀ ବୈଠକକୁ ଆସି ନଥିଲେ । ତେବେ ବୈଠକ ଆରମ୍ଭ ହେବା ପରେ ଜଲ୍ଲାପାଳ ଶ୍ରୀମତୀ ବାନାର୍ଜୀ ଉପସ୍ଥିତ କୃଷି ଅଧିକାରୀଙ୍କୁ କୃଷି ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । କେତେକ ଅଧିକାରୀ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । ଏପରିକି ଭୁଲ ତଥ୍ୟ ଦେଇଥିବା ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଭାଗୀୟ ଅଧିକାରୀ ଠିକ୍‌ ତଥ୍ୟ ଦେଇ ନ ପାରିବା ଏବଂ ଅନେକ ବିଭାଗୀୟ କର୍ମଚାରୀ ଅନୁପସ୍ଥିତ ରହିବା ଜାଣି ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ବର୍ଷିଥିଲେ । ଏହା ସହିତ ସପ୍ସପୃକ୍ତ କୃଷି ଅଧିକାରୀ, କର୍ମଚାରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇ ବୈଠକରୁ ଉଠି ଚାଲି ଯାଇଥିଲେ ।

Leave A Reply

Your email address will not be published.