ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଚଣ୍ଡ ରୁଦ୍ରତାପ ଯୋଗୁଁ ଭୂତଳ ଜଳସ୍ତର କମିବାରେ ଲାଗିଛି । କୂପ ନଳକୂପରୁ ପାଣି ବାହାରିବା ମୁସ୍କିଲ ହେଉଥିବା ବେଳେ ଜଳ ସ୍ୱାସ୍ଥ୍ୟ ବିଭାଗର ଦୁର୍ବଳ ଜଳ ଯୋଗାଣ ସମସ୍ୟାକୁ ଆହୁରି ଉତ୍କଟ କରିଛି । ଏହି ସମସ୍ୟାକୁ ନେଇ ଆଜି ଅପରାହ୍ନରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀମାନଙ୍କ ସହ ସହରର ପିଇବା ପାଣି ସମସ୍ୟା ଉପରେ ଏକ ସମୀକ୍ଷା ବୈଠକ କରିଥିଲେ । ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ଓଭରହେଡ୍ ଟ୍ୟାଙ୍କ ତଥା ଭୂତଳ ଟ୍ୟାଙ୍କ ଗୁଡିକ ନିର୍ମାଣାଧିନ ଅବସ୍ଥାରେ ରହିଛି । ତେବେ ସେସବୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ପରେ ସମସ୍ୟା କେତେ ଦୂର ହେବ । ତା’ଛଡା ସହରକୁ ସମ୍ପୂର୍ଣ୍ଣ ପିଇବା ପାଣି ସମସ୍ୟାରୁ ମୁକ୍ତ କରିବା ପାଇଁ କେଉଁ କେଉଁ ପ୍ରକଳ୍ପର ପ୍ରସ୍ତାବ ଯାଇଛି ତା’ର ଉପରେ ଆଲୋଚନା ହୋଇଥିଲା । ସହରର କିଛି ଅଞ୍ଚଳରେ ଟ୍ୟାଙ୍କର ଯୋଗେ ମଧ୍ୟ ପାଣି ଯୋଗା ଯାଇପାରୁନାହିଁ, ସେହି ଅଞ୍ଚଳଗୁଡିକରେ ଆଗାମୀ ଦିନରେ ନଳକୂପ ଖନନ ପାଇଁ ବିଧାୟକ ଶ୍ରୀ ମିଶ୍ର ପାଣ୍ଠି ଯୋଗାଡ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ସମସ୍ୟାର କାରଣ ପଚାରା ଯିବାରୁ, କାଳ ବୈଶାଖୀ ଯୋଗୁଁ ବିଜୁଳି ବିଭ୍ରାଟ ହେଲେ ପାଣି ପମ୍ପ ଚାଲିବାରେ ସମସ୍ୟା ହେଉଥିବାରୁ ତାର ପରଦିନ ପିଇବା ପାଣି ସହରକୁ ଯୋଗାଇବାରେ ସମସ୍ୟା ହେଉଛି ବୋଲି ନିର୍ବାହୀ ଯନ୍ତ୍ରୀ ଶ୍ରୀ ପରିଡା ଜଣାଇଥିଲେ । ବିଧାୟକ ଶ୍ରୀ ମିଶ୍ର ଏ ସମସ୍ୟା ଦୂର କରିବା ପାଇଁ ବିଜୁଳି ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ସହ କଥା ହୋଇ ଜନସ୍ୱାସ୍ଥ୍ୟ ବିଭାଗ ଏବଂ ବିଜୁଳି ବିଭାଗ ମିଳିତ ଭାବେ ଏକ ବୈଠକ କରି ଏ ସମସ୍ୟାର ଶୀଘ୍ର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି, ସହରରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ପିଇବା ପାଣି, ଶୈଚାଳୟ ସମସ୍ୟା ଉପରେ ଏକ ସ୍ୱତନ୍ତ୍ର ରିପୋର୍ଟ ପ୍ରଦାନ କରିବା ପାଇଁ ସମସ୍ତ ସ୍କୁଲକୁ ଗସ୍ତ କରି ଏକ ରିପୋର୍ଟ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ଜିପିଏଚ୍ଡିର ସହକାରୀ ଯନ୍ତ୍ରୀ ଶୁଶାନ୍ତ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତା’ ଛଡା ସହର ମଧ୍ୟରେ ବସା ଯାଇଥିବା ପିଇବା ପାଣି ଟାଙ୍କିଗୁଡିକୁ ସଫେଇ କରିବା ତଥା ଭାଙ୍ଗି ଯାଇଥିବା ଟାଙ୍କିଗୁଡିକ ଶୀଘ୍ର ପରିବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆହୁରି ମଣିଷ ବ୍ୟବହାର ଯୋଗ୍ୟ ନ ଥିବା ସହରର ସମସ୍ତ ବନ୍ଧ ପୋଖରୀ ଏକ ରିପୋର୍ଟ ପ୍ରଦାନ କରିବାକୁ ନିର୍ବାହୀଯନ୍ତ୍ରୀଙ୍କୁ କହିବା ସହ ତାର ପ୍ରତିକାର ପାଇଁ କି ପଦକ୍ଷେପ ନେଇଛନ୍ତି ବିଧାୟକ ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ପରିଶେଷରେ ବିଭାଗ ତଥା ଜନସାଧାରଣ ପିଇବା ପାଣିକୁ ନେଇ ସମ୍ମୁଖିନ ହେଉଥିବା ସମସ୍ୟା ଏକ ସବିଶେଷ ରିପୋର୍ଟ ୭ ଦିନ ଭିତରେ ନିର୍ବାହୀ ଯନ୍ତ୍ରୀ ପ୍ରଦାନ କରନ୍ତୁ, ଏହା ପାଇଲା ପରେ ବିଧାୟକ ଶ୍ରୀ ମିଶ୍ର ରାଜ୍ୟ ସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ଏହି ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ । ଏହି ସମୀକ୍ଷା ବୈଠକରେ ବିଧାୟକଙ୍କ ବ୍ୟତୀତ ତାଙ୍କ ଜନସ୍ୱାସ୍ଥ୍ୟ ବିଭାଗ ପ୍ରତିନିଧି ପବିତ୍ର ବେହେରା, ନିର୍ବାହୀ ଯନ୍ତ୍ରୀ ପାର୍ବତୀ ମୋହନ ପରିଡା, ଏସ୍ଡିଓ ସୁବ୍ରତ ନାୟକ, କନିଷ୍ଠ ଯନ୍ତ୍ରୀ ରାଜିବ ଲୋଚନ କିସାନ, ପ୍ରକାଶ ଚନ୍ଦ୍ର ବେହେରା, ଅଜୟ କୁମାର ଜେନା ଏବଂ ଜିପିଏଚ୍ଡିର ସହକାରୀ ଯନ୍ତ୍ରୀ ଶୁଶାନ୍ତ ମିଶ୍ର ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।