ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ପରିଚାଳନା ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ପରିଚାଳନା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶିପୁନମ ମିଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ.ରାଧାକାନ୍ତ ଗଡ଼ତ୍ୟା, ଅତିରିକ୍ତ ପରିବହନ ଅଧିକାରୀ ଦେବାଶିଷ ସାହୁ, ଏମ୍‌ଭିଆଇ ଲୋକନାଥ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ବିଭାଗୀୟ ଅଧିକାରୀ, ସଦସ୍ୟ ସଦସ୍ୟା ପ୍ରମୁଖ ଯୋଗ ଦେଇ ସଡ଼କ ସୁରକ୍ଷା ପରିଚାଳନା ଉପରେ ଆଲୋଚନା କରିଥିଲେ । ବିଶେଷ ଭାବେ ଜିଲ୍ଲାର ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବ୍ୟବହୃତ ହେଉଥିବା ସମସ୍ତ ଯାନବାହାନଗୁଡିକ ମୋଟର ଯାନ ଆଇନ ମୁତାବକ ବ୍ୟବସ୍ଥିତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମିଞ୍ଜ ପରାମର୍ଶ ଦେଇଥିଲେ । ନାବାଳକ ଛାତ୍ର ଛାତ୍ରୀଙ୍କ ଗାଡିଚାଳନା ଉପରେ ଆବଶ୍ୟକ ଦୃଷ୍ଟି ଦେବାକୁ ବୈଠକରେ ଆଲୋଚନା ହୋଇଥିଲା । ୧୬ ବର୍ଷର ଛାତ୍ରଛାତ୍ରୀ ସ୍କୁଟି ଚାଳନା କରି ପାରିବେ, ମାତ୍ର ଏଥି ନିମନ୍ତେ ଡ୍ରାଇଭିଂଗ ଲାଇସେନ୍ସ ଦରକାର । ସେହିପରି ୧୮ବର୍ଷରୁ ଅଧିକ ବୟସର ଛାତ୍ର ଛାତ୍ରୀ ଗିୟର ଗାଡି ଚଳାଇ ପାରିବେ ଓ ଏଥି ନିମନ୍ତେ ମଧ୍ୟଗାଡି ଲାଇସେନ୍ସ ଅପରିହାର୍ଯ୍ୟ ରହିଛି । ଛାତ୍ରଛାତ୍ରୀ ଗାଡି ଚାଳନାକୁ ଅଭିଭାବକ ସହ ସ୍କୁଲ କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଏଥି ନିମନ୍ତେ ସ୍କୁଲ ଓ ମହାବିଦ୍ୟାଳୟ ଗୁଡିକରେ ଆବଶ୍ୟକ ସଚେତନତା କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଗ୍ରାମୀଣ ରାସ୍ତାରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାରେ ସୂଚନା ଫଳକ ଓ ସ୍ପିଡ଼ ବ୍ରେକର ଲଗାଇବାକୁ ଅଧିକାରୀଙ୍କୁ ପରାମର୍ଶ ଦେବାକୁ ବୈଠକରେ ଆଲୋଚନା କରାଯାଇଛି । ଏତଦ ବ୍ୟତୀତ ଜିଲ୍ଲାର ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ନିମନ୍ତେ ଆବଶ୍ୟକ ଜନ ସଚେତନତା ଉପରେ ଗୁରୁତ୍ଵାରୋପ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମିଞ୍ଜ ।

Leave A Reply

Your email address will not be published.