ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଆର୍‌ଏସ୍‌ଇଟିଆଇର ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବରଗଡ଼ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ (ଆର୍‌ଏସ୍‌ଇଟିଆଇ) ଗ୍ରାମ୍ୟ ଆତ୍ମ ନିର୍ଭରଶୀଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗ୍ରାମାଞ୍ଚଳର ଯୁବକ ଯୁବତୀମାନଙ୍କୁ ସ୍ୱାବଲମ୍ବୀ ହେବା ଉଦ୍ଦେଶ୍ୟରେ ବିଭିନ୍ନ ବିଭାଗ ସଂପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଚୂଡାନ୍ତ ରୂପରେଖ ପ୍ରସ୍ତୁତ କରିବାକୁ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରଦାନ ସହିତ ବ୍ୟାଙ୍କ ଋଣ ଯୋଗାଇ ଦେବା ମୁଖ୍ୟ ଉଦ୍ଦେଶ୍ୟ ଅଟେ । ବୈଠକରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନିର୍ଦ୍ଦେଶକଙ୍କ ସମେତ ଓରମାସ, ଉଦ୍ୟାନ ବିଭାଗ, କୃଷି, ମତ୍ସ୍ୟ, ପଶୁ ସମ୍ପଦ ବିଭାଗର ଅଧିକାରୀ ଯୋଗ ଦେଇଥିଲେ । ବିଭାଗୀୟ ଅଧିକାରୀମାନଙ୍କୁ ଶୀଘ୍ର ହିତାଧିକାରୀ ଚୟନ ପ୍ରକିୟା ଆରମ୍ଭ କରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ଏହି ଯୋଜନା ପ୍ରତ୍ୟେକ ବ୍ଲକ ସ୍ତରରେ ଆସନ୍ତା ୬ ମାସ ପାଇଁ ରୂପରେଖ ପ୍ରସ୍ତୁତ କରିବା ସହ କିଭଳି ଭାବରେ ହିତାଧିକାରୀ ମାନଙ୍କ ଆତ୍ମିକ ଅଭିବୃଦ୍ଧି ହେବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀଙ୍କୁ କହିଥିଲେ ।

Leave A Reply

Your email address will not be published.