ଗ୍ରୀଷ୍ମ ପ୍ରବାହର ମୁକାବିଲା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନିକସ୍ତରୀୟ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଓସୱାନ ଭିଡ଼ିଓ-କନଫେରରେନ୍ସିଂ ସଭା ଗୃହଠାରେ ଆଗାମୀ ଗ୍ରୀଷ୍ମ ପ୍ରବାହରେ ସତର୍କ ରହିବା ଓ ଅଂଶୁଘାତ ପାଇଁ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୁଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ଗ୍ରୀଷ୍ମ ଅଂଶୁଘାତ ନିୟନ୍ତ୍ରଣ ପାଇଁ କିପରି ପ୍ରସ୍ତୁତି ହେବା ଆବଶ୍ୟକ ସେ ବିଷୟରେ ଜିଲ୍ଲାର ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

ଚଳିତ ବର୍ଷର ପ୍ରଥମାର୍ଦ୍ଧରୁ ହିଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ ଆଗକୁ ଏହା ଆହୁରି ତିବ୍ର ରୂପ ନେବାର ଆଶଙ୍କା ରହିଛି । ତେଣୁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଭିନ୍ନ ସମୟରେ ଅଂଶୁଘାତ ହୋଇ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି, ତେଣୁ ସ୍ୱାସ୍ଥ୍ୟ ବିଭାଗକୁ ଉପଯୁକ୍ତ ପରିମାଣ ଓଆରଏସ ପେକେଟ ଓ ଔଷଧ ମଜୁଦ ରଖିବା ସହିତ ସଜାଗ ରହିବାକୁ କୁହାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଏକ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ କରାଯିବା ସହ ଅଂଶୁଘାତ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ଆଶୁ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ କୁହାଯାଇଥିଲା । ସେହିପରି ବିଭିନ୍ନ ଗ୍ରାମାଞ୍ଚଳ, ପୌରପରିଷଦ, ବ୍ଲକ, ଏନ୍‌ଏସି ପକ୍ଷରୁ ଜଳଛତ୍ର ମାନ ଖୋଲାଯିବାକୁ ମଧ୍ୟ ଆଲୋଚନା ହୋଇଛି । ଜିଲ୍ଲାର ସମସ୍ତ ଦର୍ଶନୀୟ ସ୍ଥାନ ଗୁଡିକରେ ପାନୀୟ ଜଳ ବ୍ୟବସ୍ଥା କରାଯିବ । ଖରାପ ନଳକୂଅ ତୁରନ୍ତ ମରାମତି କରିବାକୁ କୁହାଯାଇଛି । ସେହିପରି ମଧ୍ୟାହ୍ନ ସମୟରେ ବାହାରେ ବୁଲିବା ବେଳେ ପାଣି ବୋତଲ, ଛତା, ଟୋପି ତଥା ଓଦା କପଡା ଇତ୍ୟାଦି ମୁଣ୍ଡରେ ପକାଇ ଯାତାୟତ କରିବା ଏବଂ ଏନେଇ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁୁ ବ୍ୟାପକ ସଚେତନ କରାଇବାକୁ ମଧ୍ୟ ବିଭିନ୍ନ ବ୍ୟବସ୍ଥା ପାଇଁ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।

ଗ୍ରୀଷ୍ମ ଦିନେ ବିଶେଷ କରି ପାନୀୟଜଳ ସମସ୍ୟା ଯେପରି ନ ଉପୁଜେ, ବିଦ୍ୟୁତ ବିଭ୍ରାଟ କିପରି ନ ଘଟେ, ପଶୁ ମାନଙ୍କ ଯତ୍ନ ନେବା, ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ସକାଳ ସମୟରେ ଖୋଲିବା, ଜୀବନ ରକ୍ଷକ ଔଷଧ ମହଜୁଦ ରଖିବା, ଶ୍ରମିକମାନଙ୍କ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ସମୟ ସାରଣୀ ପରିବର୍ତ୍ତନ କରିବା, ଜଙ୍ଗଲ ସୁରକ୍ଷା ଇତ୍ୟାଦି ଦୃଷ୍ଟି ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ସେହିପରି ଅଂଶୁଘାତରେ କାହାର ମୃତ୍ୟୁ ଘଟେ ତେବେ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଏହି ବୈଠକରେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତୀ ଭାସନ, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ.ଉମାଶଙ୍କର ମିଶ୍ର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସମେତ ଜିଲ୍ଲାର ସମସ୍ତ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସହ ଲାଇନ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.