- ସିରଜିନା ସମ୍ମାନ ପାଇବେ ସାହିତ୍ୟିକ ସୁଶାନ୍ତ ମିଶ୍ର
ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁରୀ ଭାଷା ସାହିତ୍ୟ ଓ ସଂସ୍କୃତିର ଅଗ୍ରଣୀ ଅନୁଷ୍ଠାନ ସିରଜିନା ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ପଦ୍ମପୁର ପକ୍ଷରୁ ୩୨ତମ ସିରଜିନା ଉଛବ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କଳା ଗ୍ରାମ ଭେଉରିଆ ଠାରେ ଅପ୍ରେଲ ୩ ଓ ୪ ତାରିଖ ଦୁଇଦିନ ଧରି ଏହି ମହୋତ୍ସବ ସମାରୋହରେ ଅନୁଷ୍ଠିତ ହେବ । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କବି, କଳାକାର, ସାହିତ୍ୟକମାନେ ବହୁ ସଂଖ୍ୟାରେ ଯୋଗଦାନ କରିବେ । ୩ ତାରିଖ ସନ୍ଧ୍ୟା ୬ଟାରୁ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ୪ଟି ସମ୍ବଲପୁରୀ ନାଟକ ପ୍ରଦର୍ଶିତ ହେବ । ସେହିପରି ୫ ତାରିଖ ସକାଳ ୧୦ଟାରୁ ବହୁଭାଷୀ କବିତା ଆସର, ଅପରାହ୍ନରେ ଆଲୋଚନା ଚକ୍ର, ସନ୍ଧ୍ୟାରେ ସମ୍ବର୍ଦ୍ଧନା ସଭା ଓ ଏହାପରେ ନୃତ୍ୟ ଗୀତ ନାଟକ, ମହାରାଜାଙ୍କ ମହାମିଳନ ଆଦି ପ୍ରଦର୍ଶିତ ହେବ । ଚଳିତ ବର୍ଷ ବିଶିଷ୍ଟ ଲେଖକ ତଥା ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କୁ ଅନୁଷ୍ଠାନର ମର୍ଯ୍ୟାଦାଜନକ “ସିରଜିନା ସମ୍ମାନ” ପ୍ରଦାନ କରାଯିବ । ଏହାସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନ୍ୟ ୨୦ଜଣଙ୍କୁ ସମ୍ମାନିତ କରାଯିବ । କବିତା ପାଇଁ ଗୁଣସାଗର ସାହୁ, ଗଳ୍ପରେ ନରେନ୍ଦ୍ର ମହାନ୍ତି, ପ୍ରବନ୍ଧରେ ପ୍ରଫୁଲ୍ଲ ପାଣିଗ୍ରାହୀ, ଅଭିନୟରେ ସୁବ୍ରତ ପଟ୍ଟନାୟକ ଓ ମାନସ ସାହୁ, ନୂଆମୁଁହ ସମ୍ମାନରେ ସଦାନନ୍ଦ ମେହେର, ସାହିତ୍ୟ ସେବାରେ ଗୌରାଙ୍ଗ ପାଣ୍ଡେ, ଶ୍ରେଷ୍ଠ ସାହିତ୍ୟ ସଂସ୍କୃତି ଅନୁଷ୍ଠାନରେ ଦହନା ସାହିତ୍ୟ ଅନୁଷ୍ଠାନ କଟାପାଲି ବରଗଡ଼ ପ୍ରମୁଖଙ୍କୁ ସମ୍ମାନିତ କରାଯିବ । ଏହାଛଡ଼ା ଶିବ ସୁନା, ଶୁଭମ୍ ଘିବେଲା, ବଟକୃଷ୍ଣ ସାହୁ, ଝସକେତନ ମେହେର ଓ ଦହିତା ରାମଲୀଳା ଅନୁଷ୍ଠାନକୁ ମଧ୍ୟ ସମ୍ମାନୀତ କରିବା ପାଇଁ ପ୍ରସ୍ତାବ ନିଆଯାଇଛି । ଏହି ପ୍ରସ୍ତୁତି ବୈଠକରେ ସଭାପତି ଆଦିତ୍ୟ କୁମାର ରଥ, କାର୍ଯ୍ୟକାରୀ ସଭାପତି ଭୋଜରାଜ ବୁଡେକ, ଉପ ସଭାପତି ଆନନ୍ଦ ବେହେରା ଓ ଜୟ କୁମାର ସାହୁ, ସମ୍ପାଦକ ରାଜେନ୍ଦ୍ର ମହାନ୍ତି, ସଂଯୋଜକ ଦେବେନ୍ଦ୍ର ତ୍ରିପାଠୀ, ସନ୍ତୋଷ ଶତପଥୀ, ସନାତନ ବାରିକ, କିଶୋର ପାତ୍ରଙ୍କ ସମେତ ସଦସ୍ୟମାନେ ତଥା ମହିଳା କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ । ଶେଷରେ ଆନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।