ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଓ ପ୍ରଶାସନ ପକ୍ଷରୁ ଓଡିଶା ଦିବସ ୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଆଜି ରାଉରକେଲା ମହାନଗର ନିଗମର ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚଳିତ ବର୍ଷ ମହାସମାରୋହରେ ଓଡିଶା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅପ୍ରେଲ ୧ ତାରିଖ ଦିନ ସକାଳ ୭ ଘଟିକାରେ ଏକ ଶୋଭାଯାତ୍ରା ଅମ୍ବେଦକର ଛକ ଠାରୁ ଆରମ୍ଭ ହୋଇ ରାଉରକେଲାର ମୁଖ୍ୟମାର୍ଗ ଦେଇ ମଧୁସୂଦନ ଛକ ନିକଟସ୍ଥ ମଧୁସୂଦନଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିବ ଏବଂ ସେଠାରେ ମୁଖ୍ୟ ଅତିଥି ତଥା ସମ୍ମାନୀୟ ଅତିଥି ମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯିବ । ଏହି ଶୋଭାଯାତ୍ରାରେ ସହରର ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ବିଭିନ୍ନଶିକ୍ଷାନୁଷ୍ଠାନ, ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଏନ୍ସିସି ଓ ସ୍କାଉଟ ଗାଇଡ ଅଂଶ ଗ୍ରହଣ କରିବେ । ଏହାଛଡା ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡ଼ିଆ ପ୍ରବନ୍ଧ, ବତ୍କୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଓ ମହାବିଦ୍ୟାଳୟ ସ୍ତରୀୟ ବତ୍କୃତା ପ୍ରତିଯୋଗିତା ଆୟୋଜନ କରାଯିବ । ସଂଧ୍ୟାରେ ଉଦିତନଗର ସରକାରୀ ଉଚ୍ଚବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ସମାରୋହର ଆୟୋଜନ କରାଯିବ । ଚଳିତ ବର୍ଷ ମଧ୍ୟ ଓଡ଼ିଆ ଭାଷା ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଏକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷକୁ ମଧୁସୂଦନ ସ୍ମତି ସମ୍ମାନ ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ଶୋଭାଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ବିଭାଗକୁ, ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ଗୁଡ଼ିକ ପରିଷ୍କାର ଓ ଆମ୍ବେଦକର ଛକରୁ ମଧୁସୂଦନ ଛକ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟ କରିବାକୁ ମହାନଗର ନିଗମକୁ ଦାୟିତ୍ଵ ପ୍ରଦାନ କରାଯାଇଛି । ଆଜିର ଏହି ବୈଠକରେ ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ଅତିରିକ୍ତ ଉପଜିଲ୍ଲାପାଳ ଚାନ୍ଦିନୀ, ଡେପୁଟି କଲେକ୍ଟର ପ୍ରାରବ୍ଧା, ଆର୍ଏସ୍ପିର ଜିଏମ(ପ୍ରୋଟୋକଲ) ଜେପି ମିଶ୍ର, ଆର୍ଜିଏଚ ଡେପୁଟି ସୁପ୍ରିଟେଡେଣ୍ଟ ଡା. ପଣ୍ଡିତ ସାହୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୀମା ଫାତିମା ଏକ୍କା ସମେତ ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।