ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନର କାର୍ଯ୍ୟାଳୟରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂସ୍ଥାନର ସଭାପତି ପ୍ରସନ୍ନ କୁମାର ବିନ୍ଧାଣୀ ସଭାପତିତ୍ୱ କରିଥିଲେ । ଆଗାମୀ ସେପ୍ଟେମ୍ବରରେ ହେବାକୁ ଥିବା ହିନ୍ଦୀ ଦିବସ ସିଭିକ୍ ସେଣ୍ଟରରେ କରିବା ପାଇଁ ଆର୍ଏସ୍ପି ଡିଆଇସିଙ୍କ ଅନୁମତି ଆଣିବାକୁ ନିଷ୍ପତ୍ତି ନିଆଗଲା, ଯେଉଁଥିରେ ଡିଆଇସି ମୁଖ୍ୟ ଅତିଥି ରହିବେ । ସବ୍ ଜୁନିୟର ପିଲାମାନଙ୍କ ପାଇଁ ହିନ୍ଦୀ ରଚନା, ଜୁନିୟର ଓ ସିନିୟର୍ ପିଲାମାନଙ୍କ ପାଇଁ ଆଶୁ ବାକ୍ୟ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ବୈଠକରେ ସ୍ଥିର କରାଗଲା । ଏହି ଅବସରରେ କିଛି ସମ୍ବାଦଦାତାଙ୍କୁ ସେମାନଙ୍କ ଅବଦାନ ପାଇଁ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସ୍ଥିର କରାଗଲା । ଦୀପିକା ଇସ୍ପାତ ଶିକ୍ଷା ସଦନ, ସେକ୍ଟର ୧୮ର ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ତଥା ତାଙ୍କର ଅଭିଭାବକ ଏବଂ ରାଉରକେଲାର ସମସ୍ତ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଓ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଏହି ଉତ୍ସବରେ ନିମନ୍ତ୍ରଣ ଜଣାଇବା ପାଇଁ ନିଷ୍ପତ୍ତି ନିଆଗଲା । ଉକ୍ତ ଦିନ ଗଣେଶ ପୂଜା ପଡୁଥିବାରୁ ହିନ୍ଦୀ ଦିବସ ସମାରୋହ ସନ୍ଧ୍ୟା ସମୟରେ ଆୟୋଜନ କରିବା ପାଇଁ ସ୍ଥିର କରାଗଲା । ଦୀପିକା ଇସ୍ପାତ ଶିକ୍ଷା ସଦନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଦୀପିକା ମହିଳା ସଂଘତିର ସଭାପତି, ଉପ ସଭାପତି ଓ ସମସ୍ତ ପଦାଧିକାରୀଙ୍କୁ ନିମନ୍ତ୍ରଣ ଜଣାଇବା ପାଇଁ ନିଷ୍ପତ୍ତି ନିଆଗଲା । ଆର୍ଏସ୍ପିର ଡିଆଇସି ଆଲୋକ ବର୍ମାଙ୍କୁ ସମାରୋହର ମୁଖ୍ୟଅତିଥି, ନମ୍ରତା ବର୍ମାଙ୍କୁ ସମ୍ମାନିତ ଅତିଥି ଓ ଅଗ୍ରସେନ ଭବନର ମୁଖ୍ୟ ଓମ୍ ପ୍ରକାଶ ବାପୋଡିଆଙ୍କୁ ସମ୍ମାନିତ ଅତିଥି ରୂପେ ନିମନ୍ତ୍ରଣ ଜଣାଇବା ପାଇଁ ସ୍ଥିର କରାଗଲା । ବୈଠକରେ ଦୀପିକା ଇସ୍ପାତ ଶିକ୍ଷା ସଦନ, ସେକ୍ଟର ୧୮ର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଦୁଇଟି ଆକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ସ୍ଥିର କରାଗଲା । ବୈଠକରେ ସଂସ୍ଥାନର ଟ୍ରଷ୍ଟି ତଥା ପୃଷ୍ଠପୋଷକ ସୁନୀଲ କୟାଲ୍, ଟ୍ରଷ୍ଟି ତଥା ଉପ ସଭାପତି ପ୍ରଭାତ କୁମାର ମିଶ୍ର, ସଦସ୍ୟା ସୁଶ୍ରୀ ସୁସ୍ମିତା ପାଲ ଓ ମିନ୍ନୀ ରାୟ ଉପସ୍ଥିତ ଥିଲେ । ସଂସ୍ଥାନର ମ୍ୟାନେଜିଂ ଟ୍ରଷ୍ଟି ତଥା ସମ୍ପାଦକ ଡଃ. ଜଗନ୍ନାଥ ଦାଶ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଶେଷରେ ପ୍ରଭାତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।