ନୂଆପଡା, (ସନ୍ତୋଷ ପଟ୍ଟନାୟକ) : ନୂଆପଡା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଆନୁକୂଲ୍ୟରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା ପାଇଁ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟାଳୟ ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ଗ୍ରୀଷ୍ମ ପ୍ରବାହ ସମୟରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି ସହିତ ପାନୀୟ ଜଳ ଯୋଗାଣ ପାଇଁ ସମସ୍ତ ବିଭାଗକୁ ନିଜ ନିଜ ଏକ୍ସନ ପ୍ଳାନ ପ୍ରସ୍ତୁତ କରି ସମୟୋଚିତ ଭାବେ କାର୍ଯ୍ୟକରିବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗକୁ ଚିକିତ୍ସାଳୟଗୁଡିକରେ ଅଂଶୁଘାତ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ବ୍ୟବସ୍ଥା, ପର୍ୟ୍ୟାପ୍ତ ଓଆରଏସ୍, ଔଷଧ ଓ ଆଇସ୍ ପ୍ୟାକ୍ ମହଜୁଦ ରଖିବାକୁ କୁହାଯାଇଥିଲା । ପାନୀୟ ଜଳ ସମସ୍ୟା ଥିବା ଅଞ୍ଚଳଗୁଡିକୁ ପୂର୍ବରୁ ଚିହ୍ନଟ କରି ସେଠାରେ ପାନୀୟଜଳ ଯୋଗାଣ ସୁନିଶ୍ଚିତ କରିବା, ଅଚଳ ନଳକୂପ ମରାମତି କରିବା ଓ ଆବଶ୍ୟକତାନୁସାରେ ପାଣି ଟ୍ୟାଙ୍କର ବ୍ୟବସ୍ଥା କରିବାକୁ ସମ୍ପର୍କିତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ପୌରସଭା ଓ ଗ୍ରାମ ପଞ୍ଚାୟତ ପକ୍ଷରୁ ବିଭିନ୍ନ ସ୍ଥାନରେ ପାନୀୟ ଜଳ ସେବା କେନ୍ଦ୍ର ଖୋଲାଯିବା ସହ ଗ୍ରୀଷ୍ମ ପ୍ରବାହ ସମ୍ପର୍କିତ ଜନସଚେତନତା ବଢ଼ାଇବା ପାଇଁ ଆଲୋଚନା ହୋଇଥିଲା । ସେହିପରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ସୁରକ୍ଷିତ ପାନୀୟଜଳ ବ୍ୟବସ୍ଥା, ଶ୍ରମିକମାନଙ୍କ କାର୍ଯ୍ୟ ସମୟ ପୁନଃନିର୍ଦ୍ଧାରଣ, ବସ ଓ ବସ୍ଷ୍ଟାଣ୍ଡରେ ପାନୀୟଜଳ ଓ ଓଆରଏସ୍ ବ୍ୟବସ୍ଥା କରିବାକୁ ସମ୍ପର୍କିତ ବିଭାଗକୁ କୁହାଯାଇଥିଲା । ବିଦ୍ୟୁତ ବିଭାଗକୁ ଗ୍ରୀଷ୍ମ ସମୟରେ ବିଦ୍ୟୁତ କାଟ କମାଇବା ଓ ଶକ୍ତି ସଂରକ୍ଷଣ ଉପରେ ସଚେତନତା ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅଂଶୁଘାତ ଯୋଗୁ ଯଦି କାହାର ମୃତ୍ୟୁ ଘଟେ, ତେବେ ତୁରନ୍ତ ତଦନ୍ତ କରି ଊଇଗଚଝ ପୋର୍ଟାଲ ମାଧ୍ୟମରେ ଅନୁଗ୍ରହ ଅର୍ଥ ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପ୍ରଶାସନ ତରଫରୁ ଜଳ ଛତ୍ର ବ୍ୟବସ୍ଥା ବ୍ୟତୀତ ସମସ୍ତ ବ୍ୟବସାୟୀକ ଅନୁଷ୍ଠାନ, ଏନଜିଓ, ସିଭିଲ ସୋସାଇଟୀ ମାନଙ୍କୁ ଜଳ ଛତ୍ର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଆହ୍ଵାନ ଦେଇଥିଲେ । ସେହିପରି, ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ଅଧିକ ବ୍ୟାପକ ହେବା ଆଶଙ୍କା ଥିବାରୁ, ଜିଲ୍ଲାପାଳ ବନ ଖଣ୍ଡ ଅଧିକାରୀ କେନ୍ଦୁ ପତ୍ରଙ୍କୁ ଏଥି ପ୍ରତି ଅଧିକ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଧର ଧରୁଆ, ଉପଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନ, ସିଡିଏମ୍ ଓ ପିଏଚଓ ଡ. ଧନେଶ୍ୱର ସେଠୀ, ଡିଏଫଓ (କେନ୍ଦୁପତ୍ର) ଶ୍ରୀମତୀ କେ ମାଧବୀଲତା ସମେତ ସମସ୍ତ ବିଡ଼ିଓ, ତହସିଲଦାର ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।