ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ଫେବୃୟାରୀ ୧୨ ତାରିଖ ସମସ୍ତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ କର୍ମଚାରୀ ଫେଡେରେସନର ଆହ୍ୱାନରେ କେନ୍ଦ୍ର ମୋଦି ସରକାରଙ୍କ ଶ୍ରମିକ ବିରୋଧୀ ୪ଟି ଶ୍ରମ କୋର୍ଡ ପ୍ରତ୍ୟାହାର ଦାବି ସହିତ ଦରଦାମ ନିୟନ୍ତ୍ରଣ, ରାଷ୍ଟ୍ରାୟତ ଉଦ୍ୟୋଗ ଘରୋଇକରଣ ବନ୍ଦ କରିବା, ମନେରଗାକୁ ହଟାଇ ଭି ବି ରାମ ଜି ଆଇନ୍ -୨୦୨୫ର ପ୍ରତ୍ୟାହାର, ବିଦ୍ୟୁତ ( ସଂଶୋଧନ) ବିଲ୍ -୨୦୨୫, ବିହନ ବିଲ୍ -୨୦୨୫, ନୂତନ ବୀମା ବିଲ୍ -୨୦୨୫ ପ୍ରତ୍ୟାହାର ପ୍ରଭୃତି ଦାବିରେ ଦେଶର ଶ୍ରମିକ -କୃଷକ ଓ ସମସ୍ତ ଶ୍ରମଜୀବୀ ଓ ସାଧାରଣ ଜନଗଣ ଏହି ଧର୍ମଘଟରେ ସାମିଲ ହେବେ । ସୁନ୍ଦରଗଡ଼ ଜିଲ୍ଲାରେ ଏହି ଧର୍ମଘଟକୁ ବନ୍ଦରେ ପରିଣତ କରିବା ପାଇଁ ସିଆଇଟିୟୁ, ସୁନ୍ଦରଗଡ଼ ଜିଲ୍ଲା କମିଟି ସହ ସହବନ୍ଧିତ ସମସ୍ତ ୟୁନିୟନମାନେ ଓ ଅଖିଳ ଭାରତ କୃଷକ ସଭା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ବିଭିନ୍ନ କଳକାରଖାନାରେ ସଭା, ସମିତିମାନ ସଂଗଠିତ କରି ଶ୍ରମିକ ମାନଙ୍କୁ ସଚେତନ କରାଯାଉଛି । ଆଜି ଆଇଡିଏଲ୍ କେମିକାଲସ ୱାରକର୍ସ ୟୁନିୟନ ପକ୍ଷରୁ କାରଖାନା ଫାଟକ ସମ୍ମୁଖରେ ବିକ୍ଷୋଭ କରାଯିବା ସହିତ ଶ୍ରମିକ ମାନଙ୍କୁ ଧର୍ମଘଟ ସଫଳ କରିବା ପାଇଁ ଆହ୍ୱାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ, ୟୁନିୟନର କାର୍ଯ୍ୟକାରୀ ସଭାପତି ତଥା ସିଆଇଟିୟୁ ରାଜ୍ୟ ଉପସଭାପତି ବିମାନ ମାଇତି, ଜିଲ୍ଲା ଉପ ସଭାପତି ଶ୍ରୀମନ୍ତ ବେହେରା, ସାଧାରଣ ସମ୍ପାଦକ ଉପେନ୍ଦ୍ର ତ୍ରିପାଠୀ, ଦଶମୀ ସିଂହ, ଅଲେଖ ସାହାଣୀ, ବିନୟ ବେହୁରିଆ, ଅଶୋକ ଦାସ ପ୍ରମୁଖଙ୍କ ନେତୃତ୍ୱରେ ଆଇଡିଏଲ୍ ଶ୍ରମିକ ମାନଙ୍କୁ ନେଇ ସଭା ଅନୁଷ୍ଠିତ ହୋଇଯାଇଛି ଓ ଫେବୃଆରୀ ୧୨ ତାରିଖ ଧର୍ମଘଟକୁ ସଫଳ କରିବା ପାଇଁ ଆହ୍ୱାନ କରାଯାଇଛି ।