ଜାନୁଆରୀ ୨୮ରେ ୧୨ ଘଣ୍ଟିଆ ଓଡିଶା ବନ୍ଦ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁଆରୀ ୨୮ରେ ୧୨ ଘଣ୍ଟିଆ ଓଡିଶା ବନ୍ଦ ପାଳନ ନେଇ ପାଟଣାଗଡ଼ ସ୍ଥାନୀୟ ଭୁଲିଆ ସମାଜ ଧର୍ମଶାଳା ଠାରେ ବିଭିନ୍ନ ସାମାଜିକ ସଂଗଠନ, ବିଭିନ୍ନ କୃଷକ ସଂଗଠନ, ଶ୍ରମିକ ସଂଗଠନ, ବ୍ୟବସାୟୀ ପ୍ରତିଷ୍ଠାନ ମାନଙ୍କ ମିଳିତ ଉଦ୍ୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରେ ରାଜ୍ୟ ସରକାର ଚାଷୀ ମାନଙ୍କୁ ସବୁ କ୍ଷେତ୍ରରେ ଅବହେଳା କରୁଛି, ଖରିଫ ଋତୁରେ ଚାଷୀ ମାନଙ୍କ ଅମଳ ଧାନ ଆଜି ଯାଏଁ ସରକାର କିଣିବାରେ ଫେଲ ମାରିଛି, ଟୋକନ ବଣ୍ଟନରେ ଅବ୍ୟବସ୍ଥା, ବାହାନା ଦେଖେଇ କଟନୀ ଛଟଣୀ କରିବା, ଆଜି ପର୍ଯ୍ୟନ୍ତ ମଣ୍ଡିରେ ହଜାର ହଜାର କ୍ୟୁଣ୍ଟାଲ ଧାନ ପଡ଼ି ରହିବା, ପାଉଣା ପାଇବାରେ ବିଳମ୍ବ, ଚଳିତ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମଞ୍ଚରେ ସମଗ୍ର ଚାଷୀ ସମାଜକୁ ନୌଟଙ୍କି କହି ଅସମ୍ମାନ ଅପମାନ କରି ନିଜେ ପାଟଣାଗଡ଼ ବିଧାୟକ, କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଖୁସି ହେବା, ପବିତ୍ର ବିଶ୍ୱ ପ୍ରସିଦ୍ଧ ପବିତ୍ର ଧନୁଯାତ୍ରା ମଞ୍ଚକୁ ନୌଟଙ୍କି ମଞ୍ଚ କହି ଧନୁଯାତ୍ରାକୁ ଅସମ୍ମାନ ଅପମାନ କରିବା, ସୋନପୁର ମହିମା ଉତ୍ସବରେ ଜଣେ ଯୁବ ଚାଷୀଙ୍କୁ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତରେ ଶାସକ ଦଳର କର୍ମୀମାନେ ମାଡ଼ ମାରିବା ଏଂବ ନିଜେ ଆରକ୍ଷୀ ଅଧିକ୍ଷକ ସେହି ଯୁବ ଚାଷୀଙ୍କ ବେକରେ ଗାମୁଛା ଗୁଡ଼େଇ ଟାଣି ଟାଣି ନେବା, ସଂଗ୍ରାମୀ ମାନଙ୍କୁ ଆକ୍ରୋଶ ମନୋଭାବ ରଖି ଆକ୍ରମଣ କରିବା ଘଟଣାକୁ ଦୃଢ଼ ନିନ୍ଦା କରିଥିଲେ । ଦ୍ଵିତୀୟରେ ରାଜ୍ୟରେ ବିଜେପି ସରକାର ସମସ୍ତଙ୍କୁ ବିଦ୍ୟୁତ ବିଲ ସମ୍ପୂର୍ଣ ଛାଡ଼ କରିବାକୁ ନିଜ ନିର୍ବାଚନ ଇସ୍ତାହାରରେ ଦେଇ ଆଜି ସମସ୍ତ ବିଦ୍ୟୁତ ଉପଭୋକ୍ତାଙ୍କୁ ସ୍ମାର୍ଟ ମିଟର ଦେଇ ଶୋଷଣ କରୁଛି । ତୃତୀୟରେ ପ୍ରଦୂଷଣ ପ୍ରମାଣ ପତ୍ର ନାଁରେ ପ୍ରଦୂଷଣକୁ ମୋହରା ବନେଇ ରାଜ୍ୟବାସୀଙ୍କୁ ଲୁଟୁଛି ଏହି ସରକାର ବୋଲି ଚାଷୀ ନେତାମାନେ ସରକାରକୁ ଜୋର ବର୍ଷିଥିଲେ । କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ନିଜେ ଇସ୍ତଫା ଦିଅନ୍ତୁ ନତୁବା ରାଜ୍ୟ ସରକାର ମନ୍ତ୍ରୀ ପଦରୁ ବହିଷ୍କାର କରିବାକୁ ଦାବୀ କରିଛନ୍ତି । ଚାଷୀ ସମସ୍ୟା, ସ୍ମାର୍ଟ ମିଟର, ପଲ୍ୟୁସନ ଟେଷ୍ଟ ଓ ଉପମୁଖ୍ୟଙ୍କ ଇସ୍ତଫା ଦାବୀରେ ଆସନ୍ତା ୨୮ ଜାନୁଆରୀ ଓଡିଶା ବନ୍ଦକୁ ଜାତି, ଧର୍ମ, ବର୍ଣ୍ଣ, ରାଜନୀତିର ଉପରେରେ ପୂର୍ଣ୍ଣ ସମର୍ଥନ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଉକ୍ତ ଦିନ ଜରୁରୀକାଳୀନ ସେବା, ବିବାହ କାର୍ଯ୍ୟକୁ ଛାଡ଼ି ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ବେସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ, ଦୁଇ ଚକିଆ ମୋଟର ଯାନ ଠାରୁ ଆରମ୍ଭ କରି ସମସ୍ତ ଭାରୀଯାନ ଚଳାଚଳ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କୃଷକ ମହାସଂଘ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ଲକ୍ଷେ ଘର ଗଣ୍ଡା ସମାଜ, ବଣିକ ସଂଘ, ଜନମ ମାଏଟ ବଚାଓ ସଂଘର୍ଷ ସମିତି, ବିଜୁ ଜନତା ଦଳ, ଭାରତୀୟ ଜାତୀୟ କଂଗ୍ରେସ, ଡ୍ରାଇଭର ମହାସଂଘ, ଡ୍ରାଇଭର ସଂଘ, ମୋଟର ଯାନ ମାଲିକ ସଂଘ, ଜୈ ମାତାଦୀ ମିଠା ବ୍ୟବସାୟୀ ସଂଘ ଏବଂ ବିଭିନ୍ନ ସାମାଜିକ ସଂଗଠନ, ଶ୍ରମିକ ସଂଗଠନ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ କୃଷ୍ଣଚନ୍ଦ୍ର ବନଛୋର, ପ୍ରମୋଦ ମେହେର, ଗିରିରାଜ ଭୋଇ, ଅଜିତ କୁମାର ପୁରୋହିତ, ଜନସନ ନାଗ, ପ୍ରକାଶ ସାହୁ, ଲକ୍ଷ୍ମଣ କୁମାର ବାଗ, ଜଗନ ମେହେର, ଅଭିଳାଷ ଭୋଇ, ଯୋଗେଶ୍ୱର ଭୋଇ, ଦୁର୍ଯ୍ୟୋଧନ ଭୋଇ, ବିନୋଦ ମେହେର, ସୁଶୀଲ ରଣା,ମୌସମ ମେହେର, ସୁକୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.