ବଲାଙ୍ଗିର, (କେପିଏନ୍ଏସ୍) : ଶିଶୁ ଶ୍ରମ ଉଚ୍ଛେଦ ଅଭିଯାନ ଓଡିଶା ତରଫରୁ ବଲାଙ୍ଗିର ପଂଚାୟତ ସାଧନ କେନ୍ଦ୍ର ଠାରେ ଏକ ଜିଲ୍ଲା ଓ ଜୋନାଲ ସ୍ତରୀୟ ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ରାଜ୍ୟ ଆବାହକ ଉମେଶ ଚନ୍ଦ୍ର ପୁରୋହିତ ଅଧ୍ୟକ୍ଷତା କରିଥିଲେ ଏବଂ ରାଜ୍ୟ ଆବାହକ ସୁକାନ୍ତ ନାୟକ, ଜୋନାଲ ସ୍ତରୀୟ ଆବାହିକା ମିନାକ୍ଷୀ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ଅଭିଯାନର ଲକ୍ଷ ଓ ଉଦ୍ଦେଶ୍ୟ ତଥା ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ବଲାଙ୍ଗିର ଜିଲ୍ଲାର ପ୍ରାୟ ୧୦ଟି ଅନୁଷ୍ଠାନ ଏବଂ ସୋନପୁର, କଳାହାଣ୍ଡି, ନୂଆପଡା, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୁନ୍ଦରଗଡ଼ରୁ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦାନ କରଥିଲେ । ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାରେ ଦେଶାନ୍ତର ଶିଶୁ ଶ୍ରମିକ ସମସ୍ୟା, କୃଷି କ୍ଷେତ୍ରରେ ଶିଶୁ ଶ୍ରମିକ, ରାସ୍ତାକଡ଼ରେ ଜରି ବୋତଲ ଗୋଟାଉଥିବା ଶିଶୁ, ତଥା କିଛି ହୋଟେଲ, ଗ୍ୟାରେଜ ଓ ଘରୋଇ କାମରେ ଏବେ ମଧ୍ୟ ଶିଶୁ ଶ୍ରମିକ ନିଯୁକ୍ତି ହୋଇଥିବାରୁ ଉଦ୍ବେଗ ପ୍ରକାଶ ପାଇଥିଲା । ଶିଶୁ ମାନଙ୍କର ବୟସରେ ଚଂଚକତା କରି ଆଇନକୁ ଏଡ଼ାଇବାକୁ ଚେଷ୍ଟା କରାଯାଉଥିବା ବେଳେ, ଶିଶୁ ଶ୍ରମିକ ଆଇନ ଠିକ ଭାବରେ ପାଳନ ହେଉ ନଥିବା ପ୍ରକାଶ ପାଇଥିଲା । ବଲାଙ୍ଗିର ଜିଲ୍ଲାରେ ଏହି ଅଭିଯାନ ସକ୍ରିୟ କରିବା ପାଇଁ ସର୍ବସମ୍ମତି କ୍ରମେ ଚନ୍ଦ୍ରକାନ୍ତି ମଲ୍ଲିକଙ୍କୁ ଆବାହିକା ଓ ଡ଼. ଗୋଦାବରୀଶ ରଥଙ୍କୁ ସହ ଆବାହକ ଚୟନ କରାଯାଇଥିଲା । ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ କମିଟି ବେଲନ ସାଗର , ଏଫଏଚଡ଼ି ଇଣ୍ଡିଆ, ଯଶେସ୍ୱିନୀ ନନ୍ଦ ଷ୍ଟୁଡେଣ୍ଟ କାଉନସିଲର, ଇପସିତା ପୁରୋହିତ ପାର୍ବତୀଗିରି ବାଳ ନିକେତନଙ୍କୁ ନେଇ ଗଠିତ କରାଯାଇଥିଲା । ପଶ୍ଚିମ ଓ଼ଡିଶାରେ ଏହି ଅଭିଯାନ ସକ୍ରିୟ କରିବା ପାଇଁ ଏକ ଜୋନାଲ ସ୍ତରୀୟ ସାଧାରଣ କାର୍ଯ୍ୟ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ପରିଶେଷରେ ମିନାକ୍ଷୀ ପୁରୋହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ ।