ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ଆଜି ସ୍ଥାନୀୟ ବିକାଶ ଭବନଠାରେ ଷଷ୍ଠ ଜିଲ୍ଲା ପରିଷଦର ସପ୍ତମ ତମ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସାଂସଦ, ସୁନ୍ଦରଗଡ଼ ଜୁଏଲ ଓରାମ, ଓଡିଶା ବିଧାନସଭାର ଉପ ବାଚସ୍ପତି ତଥା ବିଧାୟକ ତଳସରା ଭବାନୀ ଶଙ୍କର ଭୋଇ, ସଦର ବିଧାୟକ ଯୋଗେଶ କୁମାର ସିଂ, ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ, ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ୍ ସାହୁ ଯୋଗ ଦେଇଥିଲେ । ବୈଠକରେ ଜିଲ୍ଲାରେ ଚାଲୁଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ତଥା ପ୍ରକଳ୍ପ ଗୁଡ଼ିକ ଉପରେ ଆଲୋଚନା କରାଯିବା ସହିତ ଜିଲ୍ଲାର ପ୍ରତ୍ୟେକ କ୍ଷେତ୍ରରେ ବିକାଶ ଉପରେ ଗୁରୁତ୍ଵାରୋପ କରାଯାଇଥିଲା । ବୈଠକରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ବୈଠକର ଆଭିମୁଖ୍ୟ ଉପରେ କହିବା ସହିତ ବିଭିନ୍ନ ସମସ୍ୟା ଗୁଡ଼ିକ ପ୍ରତି ଆଲୋକପାତ କରିଥିଲେ । କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଶ୍ରୀ ଓରାମ ସରକାରଙ୍କ ସବୁ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ସମସ୍ତ ଲୋକମାନଙ୍କ ପାଖରେ ସୁବିଧାରେ ପହଞ୍ଚି ପାରିବ ଏବଂ ସବୁ ଯୋଜନା ଗୁଡ଼ିକର ସଫଳ ରୂପାୟନ ହୋଇପାରିବ ତାହା ଉପରେ ଗୁରୁତ୍ଵାରୋପ କରିଥିଲେ । ବୈଠକରେ ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ରାସ୍ତାଘାଟ, ଭିତ୍ତିଭୂମି, ସେତୁ ଏବଂ ଆଗକୁ ହେବାକୁ ଥିବା ପ୍ରକଳ୍ପ ଆଦି ଉପରେ ଉପସ୍ଥାପନ କରାଯାଇଥିଲା ଏବଂ ଖରାପ ଅବସ୍ଥାରେ ଥିବା ରାସ୍ତାଘାଟ ଆଦିର ମରାମତି, ବିଭିନ୍ନ ଅଞ୍ଚଳରେ ରାସ୍ତା ସଂଯୋଗୀକରଣ ଆଦି ଉପରେ ଆଲୋଚନା କରାଯାଇଥିଲା । ସେହିଭଳି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି, ଷ୍ଟାଫ୍ ସ୍ଥିତି, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ବାୟୋ ବନ୍ଦନା ଯୋଜନା, ଶିଶୁ ସୁରକ୍ଷା, ଟୀକାକରଣ ଆଦି ଉପରେ ଉପସ୍ଥାପନ କରାଯାଇଥିଲା । ଜନ ପ୍ରତିନିଧିମାନେ ନିଜ ନିଜ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟ ଭିତ୍ତିଭୂମି ଗୁଡ଼ିକର ବିକାଶ, ଆବଶ୍ୟକୀୟ ଉପକରଣ, ବିଦ୍ୟୁତ୍ ସଂଯୋଗୀକରଣ, ଡାକ୍ତର ଏବଂ ଷ୍ଟାଫ୍ ନିଯୁକ୍ତି, ଆବଶ୍ୟକୀୟ ଆମ୍ବୁଲାନ୍ସ ବ୍ୟବସ୍ଥା ଆଦି ଉପରେ ଆଲୋକପାତ କରିଥିଲେ ଏବଂ ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଗୁରୁତ୍ଵାରୋପ କରିଥିଲେ । ଜିଲ୍ଲା ଶିକ୍ଷା ବିଭାଗ ଦ୍ଵାରା ଜିଲ୍ଲାର ଶିକ୍ଷା ବ୍ୟବସ୍ଥା, ବିଦ୍ୟାଳୟ ମାନଙ୍କ ଏବଂ ହଷ୍ଟେଲ ମାନଙ୍କର ସ୍ଥିତି ପିଏମ୍ଶ୍ରୀ ଯୋଜନା, ଶିଶୁ ବାଟିକା, ବୃତ୍ତିଗତ ପ୍ରଶିକ୍ଷଣ, ଚଳିତ ମାଟ୍ରିକ ରେଜଲ୍ଟ, ଅଧାରୁ ଶିକ୍ଷା ଛାଡ଼ି ଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ଫେରାଇ ଅଣାଯିବା କାର୍ଯ୍ୟକ୍ରମ ଆଦି ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଜନପ୍ରତିନିଧି ମାନେ ଏବଂ ସମସ୍ତେ ନିଜ ନିଜ ଅଞ୍ଚଳରେ ଅଧାରୁ ଶିକ୍ଷା ଛାଡ଼ି ଥିବା ପିଲାମାନଙ୍କୁ ପୁନଶ୍ଚ ବିଦ୍ୟାଳୟକୁ ଫେରାଇ ଆଣିବାକୁ ଚେଷ୍ଟା କରିବାକୁ ଏବଂ ସେମାନଙ୍କୁ ପାଠ ପଢିବାକୁ ଉତ୍ସାହିତ କରିବାକୁ ଆଲୋଚନା କରାଯାଇଥିଲା । ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଜିଲ୍ଲାରେ ପାନୀୟ ଜଳ ଯୋଗାଣ, ବସୁଧା ଯୋଜନା, ନଳକୂପ ନିର୍ମାଣ ଓ ମରାମତି, ମେଗା ପାଇପ ଜଳ ଯୋଗାଣ, ସୋଲାର ପମ୍ପ ଆଦି ଉପରେ ଉପସ୍ଥାପନ କରିଥିଲେ । ଉଠା ଜଳ ସେଚନ ପ୍ରକଳ୍ପ, କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଆଦି ଉପରେ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଚାଷୀ ପଞ୍ଜିକରଣ, ରାସନ୍ କାର୍ଡ, ଭିନ୍ନକ୍ଷମ ଭତ୍ତାରେ ଅନ୍ତର୍ଭୁକ୍ତିକରଣ ଆଦି ଉପରେ ଆଲୋଚନା ହୋଇଥିଲା । ଜନ ପ୍ରତିନିଧିମାନେ ଚାଷୀଙ୍କ ବିଭିନ୍ନ ସମସ୍ୟା, ସାରର ଆବଶ୍ୟକତା, ହିତାଧିକାରୀମାନଙ୍କ ଆଧାର ଜନିତ ସମସ୍ୟା ଆଦି ଉପରେ ଆଲୋଚନା କରିଥିଲେ । ସେହିଭଳି ଅନ୍ୟାନ୍ୟ ବିଭାଗ ଦ୍ଵାରା ଜିଲ୍ଲାରେ ଚାଲୁ ଥିବା ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା ହୋଇଥିଲା ଏବଂ ବିଭିନ୍ନ ସମସ୍ୟା ଗୁଡ଼ିକ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବୈଠକରେ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସମସ୍ତ ବ୍ଲକ ଅଧ୍ୟକ୍ଷ, ବିଧାୟକଙ୍କ ପ୍ରତିନିଧି, ସମସ୍ତ ବନଖଣ୍ଡ ଅଧିକାରୀ, ସଦର ଉପଜିଲ୍ଲାପାଳ, ସମସ୍ତ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
Prev Post