ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଜିଲ୍ଲାରେ ଫାଇଲେରିଆ ନିରାକରଣ ନିମନ୍ତେ ଆସନ୍ତା ଅଗଷ୍ଟ ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସାମୁହିକ ଓଷଧ ସେବନ କର୍ଯ୍ୟକ୍ରମ ନିମନ୍ତେ ଆଜି ସ୍ଥାନୀୟ ସଦଭାବନା ଭବନଠାରେ ଜିଲ୍ଲାପାଳ ମନୋଜ ମହାଜନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଏହି ଫାଇଲେରିଆ ନିରାକରଣ ଅଭିଯାନକୁ ସଫଳ କରିବାକୁ ସମସ୍ତ ବିଭାଗ ଗୁଡ଼ିକ ପୂର୍ଣ୍ଣ ସହଯୋଗ କରିବା ସହିତ ଏଥି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଶ୍ରୀ ମହାଜନ ନିର୍ଦ୍ଦେଶ ଦେଇଥିଲେ ଏବଂ ନିୟମିତ ଏହି ସଂକ୍ରାନ୍ତୀୟ ସମୀକ୍ଷା କରିବାକୁ କହିଥିଲେ । ଏହା ସହିତ ପ୍ରତିଷେଧକ ବଟିକା ସେବନ କରି ଫାଇଲେରିଆ ନିରାକରଣ ଅଭିଯାନକୁ ସଫଳ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ବୈଠକରେ ଜିଲ୍ଲାରେ ଫାଇଲେରିଆ ଦୂରୀକରଣ ଉପରେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ କ୍ଷେତ୍ରରେ ଫାଇଲେରିଆ ନିରାକରଣ ଔଷଧ ସେବନ ଉପରେ ଆଲୋଚନା କରାଯାଇଥିଲା । ବିଶେଷ କରି ଏହି ଔଷଧ ସେବନ ନିମନ୍ତେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ଉପରେ ଆଲୋଚନା କରାଯାଇଥିଲା । ସମସ୍ତ କାର୍ଯ୍ୟାଳୟ, ସମସ୍ତ ବିଦ୍ୟାଳୟ, ହଷ୍ଟେଲ, ଶିଳ୍ପାଞ୍ଚଳ, ଗ୍ରାମାଞ୍ଚଳ ମାନଙ୍କରେ ଯେଭଳି ଏହି ଔଷଧ ସେବନ କରାଯିବ ତାହା ବୈଠକରେ ଆଲୋଚନା କରାଯାଇଥିଲା । ସେହିଭଳି ଜନପ୍ରତିନିଧି, ପଞ୍ଚାୟତିରାଜ ଅନୁଷ୍ଠାନର ସଭ୍ୟ, ଏନ୍ଜିଓ, ଅଙ୍ଗନୱାଡ଼ି କର୍ମୀ, ଗ୍ରାମ ସ୍ତରୀୟ ଫେଡେରେସନ ମାନଙ୍କୁ ମଧ୍ୟ ଏହି ଅଭିଯାନରେ ସାମିଲ କରାଯିବ ଏବଂ ସେମାନେ ଜନସାଧାରଣଙ୍କୁ ଫାଇଲେରିଆ ନିରାକରଣ ଔଷଧ ସେବନ ନିମନ୍ତେ ଉତ୍ସାହିତ କରିବେ । ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ଡା. ସୁରେଶ ଚନ୍ଦ୍ର ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଡ଼ା ଶିବାଶିଷ ମହାରଣା, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଡା.ଭକ୍ତ ମୋହନ ସ୍ୱାଇ ଏଡିପିଏଚ୍ଓ(ଭିବିଡି), ଡା. ଶ୍ୟାମବନ୍ଧୁ ରଥ, ଜୋନାଲ ସଂଯୋଜକ, ଡବ୍ଲୁଏଚ୍ଓ, ବିଶ୍ୱମ୍ବର ବେହେରା ଡିପିଏମ୍–ଏନ୍ଏଚ୍ଏମ୍, ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Next Post