ବାରିପଦାର ବିକାଶ ନେଇ ବିଧାୟକଙ୍କ ସମୀକ୍ଷା ବୈଠକ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସହରର ସର୍ବାଙ୍ଗୀନ ବିକାଶକୁ ଆଖିରେ ରଖି ସୋମବାର ଦିନ ସ୍ଥାନୀୟ ବିଧାୟକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୌର ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ସହରକୁ ସୁନ୍ଦର ଓ ଶୋଭନୀୟ କରିବା ଦୃଷ୍ଟିରୁ ଡ୍ରେନ, ପାନୀୟ ଜଳ, ଶୌଚାଳୟ, ପଲିଥିନ, ପ୍ରଦୂଷଣ, ରାସ୍ତାଘାଟ, ନାଳ ନର୍ଦ୍ଦମା, ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ଆଦି ସମସ୍ୟା ତଥା ଛଉ ପଡ଼ିଆ, ମଧୁବନ ପଡ଼ିଆ ଓ କେତେକ ଯାତ୍ରୀ ପ୍ରତୀକ୍ଷାଳୟର ଶୌଚାଳୟ, ପାନୀୟ ଜଳ ସମସ୍ୟା ପ୍ରଭୃତି ନେଇ ବ୍ୟାପକ ବିଚାର ବିମର୍ଷ କରାଯାଇଛି । ଏତଦ୍‌ବ୍ୟତୀତ ବାରିପଦା ବସଷ୍ଟାଣ୍ଡରେ ପର୍ଯ୍ୟାପ୍ତ ଆଲୋକ, ପାନୀୟ ଜଳ, ଶୌଚାଳୟ ଓ ବସଗୁଡ଼ିକର ଯିବା/ଅସିବା ସମୟ ସୂଚଉଥିବା ବଡ଼ ଫଳକ ଆଦିର ବ୍ୟବସ୍ଥା କରାଯିବା ନେଇ ବି ଆଲୋଚନା କରାଯାଇଥିବା ଜଣାଯାଇଛି । ବିଶେଷ କରି ବର୍ଷା ଦିନ ପୂର୍ବରୁ ସହରର ସମସ୍ତ ଡ୍ରେନେଜ ପ୍ରଣାଳୀକୁ ବ୍ୟବସ୍ଥିତ କରି ଜଳ ନିଷ୍କାସନ ପ୍ରକ୍ରିୟାକୁ ସହଜ ଓ ବଧାମୁକ୍ତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ବାରିପଦା ପୌର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, ପୋୖରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ପୌର ପରିଷଦ ଉପାଧ୍ୟକ୍ଷା ସୀମା ଦାସ ଓ ବିଜେପି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ ପ୍ରମୁଖ ଉପସ୍ଥିତ ରହି “ବିକଶିତ ବାରିପଦା”ର ସ୍ୱପ୍ନ ସାକାର କରିବା ଦୃଷ୍ଟିରୁ ନିଜ ନିଜର ମତ ଦେଇଥିଲେ ।

Leave A Reply

Your email address will not be published.