jayashree

ଉଚ୍ଚ ପଦାଧିକାରୀ ଓ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ

  • ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ
  • ନଭେମ୍ବର ୨୦ରୁ ବରଗଡରୁ ଆରମ୍ଭ ହେବ ଧାନ ସଂଗ୍ରହ
  • ଡିସେମ୍ବର ୮ରେ ବରଗଡ ସୋହେଲାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହେବ ଚାଷୀ ସମାବେଶ, ଚାଷୀମାନେ ପାଇବେ ଅତିରିକ୍ତ ୮୦୦ ଟଙ୍କା
  • ୮ ତାରିଖରୁ ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ ସହିତ ଅତିରିକ୍ତ ୮୦୦ ଟଙ୍କା ୪୮ ଘଣ୍ଟା ମଧ୍ୟରେ ଡିବିଟି ମାଧ୍ୟମରେ ପାଇବେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଲୋକସେବା ଭବନ ଠାରେ ଆଗାମୀ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଆଭାସୀ ଜରିଆରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିଛନ୍ତି । ଆଲୋଚନାରୁ ଜଣାଯାଇଛି ଯେ, ତ୍ରୁଟିଶୁନ୍ୟ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ଓ ଜିଲ୍ଲାପାଳ ମାନେ ସମସ୍ତ ପ୍ରସ୍ତୁତି କରିଛନ୍ତି । ବୈଠକରୁ ଜଣାଯାଇଛି ଯେ, ଆସନ୍ତା ୨୦ ତାରିଖରେ ବରଗଡ ଜିଲ୍ଲାରୁ ଏହି ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ । ୨୨ ତାରିଖରେ ସମ୍ବଲପୁର ଏବଂ ପରେ ରାଜ୍ୟର ସବୁ ଜିଲ୍ଲାରେ ଏହି ଧାନ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହେବ । ନଭେମ୍ବର ୨୦ ତାରିଖରୁ ଡିସେମ୍ବର ୭ ତାରିଖ ମଧ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କା ପ୍ରଦାନ କରାଯିବ । ଡିସେମ୍ବର ମାସ ୮ ତାରିଖରେ ବରଗଡ ଜିଲ୍ଲା ସୋହେଲା ଠାରେ ଏକ ରାଜ୍ୟସ୍ତରୀୟ କୃଷକ ସମାବେଶ ଆୟୋଜନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କୃଷକ ମାନଙ୍କୁ ଧାନର କ୍ୱିଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରିବେ । ଡିସେମ୍ବର ୮ ତାରିଖ ଠାରୁ ୨୩୦୦ ଟଙ୍କା ସହିତ ଅତିରିକ୍ତ ୮୦୦ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ୪୮ ଘଣ୍ଟା ମଧ୍ୟରେ ଡିବିଟି ଜରିଆରେ ପ୍ରଦାନ କରାଯିବ । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚାଷୀମାନଙ୍କୁ ଧାନ ସଂଗ୍ରହ ବ୍ୟବସ୍ଥା ପାଇଁ ନିଆଯାଇଥିବା ସରକାରୀ ପଦକ୍ଷେପ ସମ୍ପର୍କରେ ବିଭିନ୍ନ ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଉଛି । ମୁଖ୍ୟମନ୍ତ୍ରୀ ଏଥିପାଇଁ ଜିଲ୍ଲାପାଳମାନେ ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ ହୋଇ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ । ବିଭିନ୍ନ ଧାନ ମଣ୍ଡିରେ ଗ୍ରେନ ଆନାଲାଇଜର, ଛଙ୍କବକ୍ଷସଗ୍ଧଚ୍ଚ ଇଦ୍ଭବକ୍ଷଚ୍ଚଗ୍ଦଗ୍ଧ, ମଣ୍ଡି ସୁପରଭାଇଜର ଆଦି ମୁତୟନ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଚାଷୀମାନଙ୍କୁ ଟୋକେନ ପ୍ରଦାନ ୧୫ ତାରିଖରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଥିଲା । ଜିଲ୍ଲାପାଳମାନେ ଚାହିଁଲେ ଟୋକେନର ସମୟସୀମାକୁ ୭ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ । ପଡୋଶୀ ରାଜ୍ୟ ସହିତ ଲାଗି ରହିଥିବା ଜିଲ୍ଲା ଗୁଡିକରେ ଯେପରି ବାହାର ରାଜ୍ୟର ଧାନ ନପଶିବ, ସେଥିପ୍ରତି ଜିଲ୍ଲାପାଳମାନେ ପ୍ରତ୍ୟକ୍ଷ ଭାବେ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସୀମାବର୍ତ୍ତୀ ଅଞ୍ଚଳରେ କ୍ୟାମେରା ସଂଯୁକ୍ତ ଥିବା ଯାନ ମାଧ୍ୟମରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଏବଂ ମଣ୍ଡିମାନଙ୍କରେ ସିସିଟିଭି ଲଗାଇବା ଓ କଟନି-ଛଟନିକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଗୁରୁତ୍ୱ ଦେଇଥିଲେ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଏବଂ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ନିଜ ନିଜ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାପାଳମାନେ ମଧ୍ୟ ଜିଲ୍ଲା ସ୍ତରରେ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଆଲୋଚନାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.