
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ବିଶ୍ୱବନ୍ଦନୀୟା ସ୍ତନ ପୀଠେ ପୂଜିତା ମା’ ତାରାତାରିଣୀଙ୍କ ପବିତ୍ର ଦଶହରା ପର୍ବ ଉପଲକ୍ଷେ ୧୬ ଦିନାତ୍ମକ ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହେବ, ତା’ ସାଂଗକୁ ଏହି ପୀଠ ର ମହତ୍ତ୍ୱ ଯେପରି ଭାରତ ବର୍ଷରେ ଏକ ପ୍ରସିଦ୍ଧ ପୂଣ୍ୟତର ଆଦିଶକ୍ତି ପୀଠ ଭାବେ ପରିଗଣିତ ହେବ ସେ ଦିଗରେ ପ୍ରଶାସନିକ ସ୍ତରରେ ବୈଠକ ବସି ‘ତାରାତାରିଣୀ ଉନ୍ନୟନ ପରିଷଦ କର୍ମକର୍ତ୍ତାଙ୍କ ଦ୍ୱାରା ଶୁକ୍ରବାର ଅପରାହ୍ମ ସମୟରେ ଏକ ସିଦ୍ଧାନ୍ତ ଆଲୋଚନା ହୋଇଛି । ତାରାତାରିଣୀ ଉନ୍ନୟନ ପରିଷଦ କର୍ମକର୍ତ୍ତା ମାନଙ୍କ ବୈଠକ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ତଥା ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୂପା ରୋଶନ ସାହୁଙ୍କ ଅଧ୍ୟକ୍ଷତାରେ ଦକ୍ଷଣାଞ୍ଚଳ ଆୟୁକ୍ତଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଉପାଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ବିବରଣୀ ପ୍ରଦାନ କରିଥିଲେ । ମନ୍ଦିର ସୁପରିଚାଳନା ସହ ଉନ୍ନୟନ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସୁବିସ୍ତୃତ ଆଲେଚନା କରାଯାଇଥିଲା । ମା’ଙ୍କ ପୀଠକୁ ଏକ ଆଦର୍ଶ ଆଧ୍ୟାତ୍ମିକ ଶ୍ରେଷ୍ଠ ଶକ୍ତିପୀଠ ଭାବେ ଗଢି ତୋଳିବା ପାଇଁ ଅଧ୍ୟକ୍ଷ ମହୋଦୟା ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପୂର୍ତ୍ତ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏଠାରେ ଚାଲିଥିବା ନିର୍ମାଣ ଓ ଅନ୍ୟାନ୍ୟ କାମ ଯଥା ସମ୍ଭବ ଶୀଘ୍ର ସଂପୂର୍ଣ୍ଣ କରାଯିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଉକ୍ତ ବୈଠକରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସତ୍ୟବାନ ପଟେଲ, ଛତ୍ରପୁର ଉପ ଜିଲ୍ଲାପାଳ ଦେବଦତ୍ତ ମହାନ୍ତ, ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ, ତହସିଲଦାର ଲୋପାମୁଦ୍ରା ରଥ, ଉନ୍ନୟନ ପରିଷଦ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।