ମୁରିବହାଲ-ଟିକ୍ରାପଡ଼ା ପୂର୍ତ୍ତ ରାସ୍ତାର ବାନ୍ଦୁପଲାରେ ୩ଫୁଟର ବର୍ଷାଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଛିନ୍ନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଗୁରୁବାର ସକାଳୁ ଜାରି ରହିଥିବା ଲଗାଣ ଲଘୁଚାପ ବର୍ଷା ପ୍ରଭାବରେ ମୁରିବାହାଲ ବ୍ଲକ ଗୁଡିଘାଟରୁ ଟିକ୍ରାପଡ଼ା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ବାନ୍ଦୁପଲା ଗାଁ ନିକଟରେ ରାସ୍ତା ଉପରେ ୩ଫୁଟରୁ ଅଧିକ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି । ଲଘୁଚାପ ବର୍ଷା ଯୋଗୁଁ ବାନ୍ଦୁପଲା ଗ୍ରାମର ବହୁ ଚାଷ ଜମି ଜଳମଗ୍ନ ହୋଇଯାଇଛି । ସକାଳୁ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ଏହି ରାସ୍ତା ଉପରେ ବର୍ଷା ପାଣି ବଢ଼ିବାରେ ଲାଗିଥିଲା । ୩ଫୁଟ ଉଚ୍ଚତାରେ ବର୍ଷା ପାଣି ପ୍ରବାହିତ ହେବାରୁ ଏହି ମୁଖ୍ୟ ରାସ୍ତାରେ ଯାତାୟାତ ଗୁରୁତର ବାଧାପ୍ରାପ୍ତ ହୋଇଥିଲା । ରାସ୍ତାର ଉଭୟ ପାଖରେ ବହୁ ଯାନବାହାନ ଅଟକି ରହିଥିଲା । ବହୁ ସଂଖ୍ୟାରେ ବାନ୍ଦୁପଲା ଗ୍ରାମବାସୀ ଘଟଣା ସ୍ଥଳକୁ ପହଞ୍ଚିବା ସହ ନିଜ ନିଜ ଚାଷ ଜମିଗୁଡିକ ମଧ୍ୟ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିବା ଓ ଜମିର ଆଡ଼ି ଭାଙ୍ଗି ଘାଇ ହୋଇଯାଇଥିବା ଦେଖିବାକୁ ପାଇ ପ୍ରଶାସନିକ ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ମୁରିବାହାଲ ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲ ଘଟଣାସ୍ଥଳକୁ ପହଞ୍ଚିଥିଲେ । ଏ ସମ୍ପର୍କରେ ତହସିଲଦାର ଜଗଦୀଶ କର୍ତାମି ଜିଲ୍ଲା ପ୍ରଶାସନକୁ ଅବଗତ କରାଯିବା ସହ ପୁଲିସକୁ ମଧ୍ୟ ସୂଚନା ଦିଆଯାଇଛି ଓ ଇଚ୍ଛାପଡ଼ା ଆର୍‌ଆଇ ହୃଦାନନ୍ଦ ବାଗ ଘଟଣାସ୍ଥଳରେ ଉପସ୍ଥିତ ଥିବା ପ୍ରକାଶ କରିଛନ୍ତି । ଅଧିକ ବର୍ଷା ପାଣି ଯୋଗୁଁ କେତେକ ଆମ୍ବୁଲାନ୍ସ ଏହି ରାସ୍ତାର ଉଭୟ ପାଖରୁରୁ ଫେରିଯାଇଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ସ୍କୁଲରୁ ଫେରିବାକୁ ବହୁ ଅସୁବିଧାର ସମ୍ମୁଖିନ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବାନ୍ଦୁପଲା ଗ୍ରାମର ଚାଷୀ ଜିତେନ୍ଦ୍ର କୁମ୍ଭାର ଓ ବୁଲୁ କୁମ୍ଭାର ପ୍ରମୁଖ ପୂର୍ତ୍ତ ରାସ୍ତାରେ ତିଆରି ହେଉଥିବା ପୋଲ କମ୍ ଓସାରିଆ ଯୋଗୁଁ ପାଣି ନିଷ୍କାସନ ହୋଇ ପାରୁନାହିଁ । ଫଳରେ ରାସ୍ତା ଉପରେ ବର୍ଷା ପାଣି ପ୍ରବାହିତ ହେବା ସହ ଚାଷ ଜମିକୁ ପାଣି ମାଡି ଚାଷ ନଷ୍ଟ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ଦାୟିତ୍ୱରେ ଥିବା ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ବେଦବ୍ୟାସ ଭୋଇଙ୍କୁ ପଚାରିବାରୁ ଏହି ପୂର୍ତ୍ତ ରାସ୍ତା ଉନ୍ନୟନ କାମ ଏବେ ଜାରି ରହିଛି ଆଗକୁ ଯେପରି ପାଣି ନିଷ୍କାସନର ସୁବ୍ୟବସ୍ଥା ହେବ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି । ଖବର ଲେଖା ସୁଦ୍ଧା ଏହି ରାସ୍ତାରେ ଲଘୁଚାପ ବର୍ଷା ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ସେହିପରି ମୁରିବାହାଲ ରେଳ ଷ୍ଟେସନ ଦେଇ ଯାଇଥିବା ବନବାହାଲ ଗ୍ରାମରୁ ଡଙ୍ଗରପଡ଼ା ମଧ୍ୟରେ ଥିବା ପୋଲ ଉପରେ ଲଘୁଚାପ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.