centurian jitm

ତାରାତାରିଣୀଙ୍କ ଚୈତ୍ରମେଳା ଯାତ୍ରା ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

nschool

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚୈତ୍ର ପର୍ବ ୫ ପାଳି ମଙ୍ଗଳବାର ଅର୍ଥାତ୍ ମାର୍ଚ୍ଚ ମାସ ୨୬, ଅପ୍ରେଲ ମାସ ୨, ୯, ୧୬ ତାରିଖ ଓ ୨୩ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଐତିହାସିକ ତଥା ଭକ୍ତିବାଦର ଗଣପର୍ବ ମା’ ତାରାତାରିଣୀଙ୍କ ଚୈତ୍ରମେଳା ଯାତ୍ରା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶାନ୍ତି ଶୃଙ୍ଖଳାର ସହିତ କିଭଳି ଆୟୋଜନ କରାଯିବ ସେ ଦିଗରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ସୋମବାର ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଅବଗତ କରାଇଥିଲେ ଯେ, ଚଳିତ ବର୍ଷ ବିଶ୍ୱ ବନ୍ଦନୀୟା ମା’ ତାରାତାରିଣୀଙ୍କ ଚୈତ୍ରମେଳା ଯାତ୍ରାକୁ ଆହୁରି ଲୋକାଭିମୁଖୀ କରାଇବା ଦିଗରେ ପ୍ରଶାସନ ଧ୍ୟାନ ଦେଇଛନ୍ତି । ଦୈନିକ ଲକ୍ଷାଧିକ ଭକ୍ତଙ୍କ ସମାଗମ ଓ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମା’ଙ୍କ ଦର୍ଶନ ଯେପରି ଶୃଙ୍ଖଳିତ ହେବ ସେଥିପ୍ରତି ବ୍ୟାପକ ବନ୍ଦୋବସ୍ତ କରାଯିବା ନିମନ୍ତେ ଆଲୋଚନା ପ୍ରକଟ ହୋଇଛି । ଅନେକ ଭକ୍ତ ତଥା ମାନସିକଧାରୀ ବହୁ ସଂଖ୍ୟାରେ ଯୋଗଦାନ କରିବେ । ତେଣୁକରି ପ୍ରବଳ ଜନଗହଳିକୁ ଆଖି ଆଗରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥାପନା କରିବାକୁ ଜିଲ୍ଲାପାଳ କହିଛନ୍ତି । ଭକ୍ତମାନଙ୍କ ଯାତାୟତ, ସେମାନଙ୍କ ବସିବା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ମଣ୍ଡନ ସକାଶେ ସ୍ଥାନ, ଆଲୋକ ବ୍ୟବସ୍ଥା, ଦୀପ ଲଗାଇବା ସ୍ଥାନ ଇତ୍ୟାଦିର ସୁବ୍ୟବସ୍ଥା ଯେପରି ସଠିକ ହେବ ସେଥି ସକାଶେ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ସମସ୍ତଙ୍କୁ ସ୍ୱାଗତ ଜଣାଇ ଚୈତ୍ର ପର୍ବ ଆୟୋଜନ ସକାଶେ ବିଭିନ୍ନ ପ୍ରସ୍ତାବ ଗୁଡିକ ଆଗତ କରିଥିଲେ । ମନ୍ଦିରର ସାଜସଜ୍ଜା, ତୋରଣ ନିର୍ମାଣ, ଦୈନିକ ପୂଜା ବିଧି, ଆଇନ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ବ୍ୟବସ୍ଥା ଚଳିତ ବର୍ଷ ମଣ୍ଡନ ସକାଶେ ବିଗତ ବର୍ଷ ଭଳି ୪ ଗୋଟି ସ୍ଥାନ ହେବ ତତ୍ ସହିତ ଅତିରିକ୍ତ ଆଉ ୨ଟି ସ୍ଥାନ ଏ ଭଳି ସମୁଦାୟ ୬ ଗୋଟି ସ୍ଥାନରେ କରାଯିବ । ନଦୀକୂଳରେ ଭକ୍ତଗଣ କିଭଳି ସୁବିଧାରେ ଗାଧୋଇବା ସହିତ ଜଳ ଉଠାଇ ପାରିବେ ସେଥି ସକାଶେ ସୁବ୍ୟବସ୍ଥା ଓ ଆଲୋକୀକରଣ ହେବ । ମନ୍ଦିର ପରିସରରେ ମାଙ୍କଡମାନଙ୍କ ଉପଦ୍ରବ ରୋକିବା ବ୍ୟବସ୍ଥା ଓ ସେମାନଙ୍କ ମଳ ପରିସ୍କାର ଅବିରତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ତିନି ଗୋଟି ସ୍ଥାନରେ ଯାନବାହନ ରଖିବା ସକାଶେ ଅତ୍ୟଧିକ ପାର୍କିଂ ବ୍ୟବସ୍ଥା କରାଯିବ । ପାଇପ୍ ଯୋଗେ ପାନୀୟଜଳ ଯଥେଷ୍ଟ ପରିମାଣରେ ଯୋଗାଣ ହେବ । ଅସ୍ଥାୟୀ ପରିସ୍ରାଗାର ନିର୍ମାଣ ହେବା ସହିତ ନବ ନିର୍ମିତ ସ୍ଥାୟୀ ଶୌଚାଳୟ ଗୁଡିକର ସଦ ବ୍ୟବହାର ହୋଇପାରିବ । ଯାହା ଜନସାଧାରଣ ଯେପରି ବ୍ୟବହାର କରିବେ ତାର ବ୍ୟବସ୍ଥା କରାଯିବା ପାଇଁ ସ୍ଥିର ହୋଇଛି । ଏହି ବୈଠକରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ପଟେଲ, ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ, ବ୍ରହ୍ମପୁର ଉନ୍ନୟନ ପରିଷଦ ସଚିବ ରମେଶ ହାଁସଦା, ବ୍ଲକ୍ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମପୁର ମନୋଜ କୁମାର ନାୟକ, ତହସିଲଦାର ଲୋପାମୁଦ୍ରା ରଥ, ଏସ୍.ଡି.ପି.ଓ. ରଜନୀକାନ୍ତ ସାମଲ, ଜିଲ୍ଲା ସୂଚନାଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା, ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, ମନ୍ଦିର ଟ୍ରଷ୍ଟ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ମୁଖ୍ୟ ଜିଲ୍ଲା ଯେୋଗାଣ ଅଧିକାରୀ ପୁଷା ମୁଣ୍ଡା, ବରିଷ୍ଠ ସେବାୟତ ବାପୁଜୀ ରଣାଙ୍କ ସମେତ ଅନ୍ୟାନ୍ୟ ସେବାୟତ ଏବଂ ସାମ୍ବାଦିକଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.