ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଆସନ୍ତା ମାସ ୨୧ତାରିଖରୁ ଆରମ୍ଭ ହେବାକୁ ଯାଉଛି ପବିତ୍ର ଐତିହାସିକ ଦୋଳପୂର୍ଣ୍ଣମା ଯାତ୍ରା । ଏଥି ପାଇଁ ଏକ ପାକ ପ୍ରସ୍ତୁତି ବୈଠକ ଗଞ୍ଜାମ ଏନ୍ଏସି କନଫରେନ୍ସ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନ୍ଏସି ଅଧକ୍ଷା ଶ୍ରୀମତୀ ପ୍ରତିଭା ପାଢ଼ୀ, ଉପାଧ୍ୟାକ୍ଷ ସୁରେନ୍ଦ୍ର କୁମାର ବାରିକି, ଜନସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ଆଶିଷ କୁମାର ବରାଳ, ବିଦ୍ୟୁତ ବିଭାଗ ଆସିଷ୍ଟାଣ୍ଟ ଇଞ୍ଜିନିଅର ସାଗର କୁମାର ପରିଡା, ଅବକାରୀ ବିଭାଗୀୟ ଅଧିକାରୀ ବୋପାକ ବିଶି, ଗଞ୍ଜାମ ଥାନା ଏସ୍ଆଇ କ୍ଷେତ୍ର ମୋହନ ସାହୁ, ଆୟୁଷ ଡାକ୍ତର ବନୋଜ କାନ୍ତ କର, ଏଏଫ୍ଓ ଶିଶିର କାନ୍ତ ସିଂ ପ୍ରମୁଖ ମଞ୍ଚାସୀନ ଥିଲେ । ଏନ୍ଏସି ଇଓ ଅପାର୍ଣ୍ଣ ଡାଙ୍ଗୁଆ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏନ୍ଏସି କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡା ପୂର୍ବ ବର୍ଷ ଯାତ୍ରା ରିଜୁଲେସନର ବିବରଣୀ ପଠନ କରିଥିଲେ । ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହେବ ତାହା ବିସ୍ତୃତ ଆଲୋଚନା ହୋଇଥିଲା । ଯାତ୍ରା ସମୟରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ମତାମତ ନିଆଯାଇଥିଲା । ପାନୀୟ ଜଳ, ବିଦ୍ୟୁତ ସରବରାହ, ରାସ୍ତା ଘାଟ ସଫେଇ, ସାହି ଗୁଡିକରେ ଓହଳି ଥିବା ବିଦ୍ୟୁତ ତାର ଓ ଷ୍ଟାର ୱାଇରକୁ ଯୁଦ୍ଧ କାଳୀନ ଭିତ୍ତିରେ ସଜାଡ଼ିବା ଆଦି ଉପରେ ଆଲୋଚନା କରାଯାଇଛି । ବିଶେଷ କରି ଯାତ୍ରା ସମୟରେ ବିଦ୍ୟୁତ ବିଭ୍ରାଟ ଓ ପାନୀୟ ଜଳ ଏବଂ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଯାତ୍ରା ତିନି ଦିନ ସହରରେ ଥିବା ବିଦେଶୀ ମଦ ଦୋକାନ ବନ୍ଦ ରହିବ ଯଦି କେହି ବେଆଇନ ଭାବେ ମଦ ବିକ୍ରି କରେ ତାହେଲେ ତାଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଯାତ୍ରା ଦିନ ଯେଉଁ ବ୍ୟକ୍ତି ଆକ୍ରୋଶମୂଳକ ଭାବେ ପେଁକାଳୀ ବଜାଇ ବିଶୃଙ୍ଖଳା କରେ ଉକ୍ତ ବ୍ୟକ୍ତି ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଞ୍ଜାମ ଥାନା ପୋଲିସ ପକ୍ଷରୁ କୁହାଯାଇଛି । ଏଥିସହ ଯାତ୍ରାରେ ଶବ୍ଦ ପଦୂଷଣ ଉପରେ ରୋକ ଲଗାଇଛି ପ୍ରଶାସନ । ଡିଜେ ସାଉଣ୍ଡ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । କମ୍ ସାଉଣ୍ଡରେ ଡିଜେ ବ୍ୟବହାର କରିବାକୁ ସମସ୍ତ ସାହି ଯାତ୍ରା ପରିଚାଳନା କମିଟିକୁ ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି । ଏହି ଶାନ୍ତି କମିଟି ବୈଠକକୁ କମଳକାନ୍ତ ଦାସଙ୍କ ସହ ସମସ୍ତ ଏନ୍ଏସି କର୍ମଚାରୀମାନେ ରହି ପରିଚାଳନା କରିଥିଲେ ।
Prev Post