କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ତଳୀ ସ୍ତରୀୟ ଉନ୍ନୟନ କମିଟି ବୈଠକ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ହୋଇଥିବା ଉନ୍ନୟନ କାର୍ଯ୍ୟର ଏକ ସମୀକ୍ଷା ବୈଠକ କଣ୍ଟାମାଳ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହିଧର ରଣା ଅଧ୍ୟକ୍ଷତା କରିଥିଲେ । କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ତଳୀର କଣ୍ଟାମାଳ ବ୍ଲକ ଓ ବୌଦ୍ଧ ବ୍ଲକର ବିଭିନ୍ନ ପଞ୍ଚାୟତରେ ରାଜ୍ୟ ଅର୍ଥ ଅନୁଦାନରେ ମଞ୍ଜୁର ହୋଇଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ ଆଲୋଚନା କରାଯାଇଥିଲା । ମେଗା ପାନୀୟ ପ୍ରକଳ୍ପ ଦ୍ବାରା ପ୍ରତି ଘରକୁ ପାଇପ ଯୋଗେ ପାଣି ଯୋଗାଣ କରିବା ସହ ସମସ୍ତ ସ୍କୁଲ, ଦେବାଳୟ, ମଣ୍ତପ, କମ୍ୟୁନିଟି ସେଣ୍ଟର ଗୁଡିକୁ ମଧ୍ୟ ଯୋଗାଇବା ନେଇ ବିଧାୟକ ଶ୍ରୀ ରଣା ଗୁରୁତ୍ବାରୋପ କରିଥିଲେ । ସେହିପରି ନିର୍ବାଚନ ମଣ୍ତଳୀରେ କାର୍ଯ୍ୟକାରୀ ହୋଇଥିବା ୪ଟି ମେଗା ପ୍ରକଳ୍ପ ଦ୍ବାରା ଅଞ୍ଚଳର ସମସ୍ତ ଚାଷଜମିକୁ ଜଳ ସେଚିତ ହୋଇ ପାରୁ ନଥିବାରୁ ଖୁବ ଶୀଘ୍ର ଆଉ ୮ଟି ମେଗା ପ୍ରକଳ୍ପ ପାଇଁ ପ୍ରସ୍ତାବ ରହିଛି ବୋଲି ସୂଚନା ଦେଇଥିଲେ । ଉଠାଜଳ ସେଚନ ଦ୍ବାରା ଅର୍ଥ ମଞ୍ଜୁର ହୋଇଥିବା ବେଳେ ଲାଖ ପର୍ବତ ଡ୍ୟାମ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ନିତ କରାଯାଇ ଅଧିକ ଚାଷ ଜମିକୁ ଜଳ ସେଚନ ସୁବିଧା ରଖିଥିବା ପ୍ରସ୍ତାବ ରହିଛି । ସେହିପରି ବିଭାଗରେ କେବଳ କାମ ପାଇଁ ଟଙ୍କା ପଡି ରହିଥିବା ବେଳେ ଜମି ଅଧିଗ୍ରହଣ ସମସ୍ୟା ରହିଥିବା କହିଥିଲେ । ଗମନାଗମନ ସୁବିଧା ନିମନ୍ତେ ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତବିଭାଗରେ ଅଧିକ ତତ୍ପର ହେବାକୁ ପରାମର୍ଶ ଦେଇଥିଲେ । ନାରାୟଣ ପ୍ରସାଦରୁ ସିନ୍ଧୁଗୋରା ରାସ୍ତା ଓ ଲମ୍ବସରୀ କାଣିସେମେଲ ବରଗାଁ ରାସ୍ତା ପାଇଁ ପ୍ରସ୍ତାବ ଦିଆଯାଇଛି । ବିଦ୍ୟୁତ ବିଭାଗ ଟାଟା କମ୍ପାନୀର କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ବିଧାୟକ ଶ୍ରୀ ରଣା । ଖୁବ ଶୀଘ୍ର ଖଟଖଟିଆ, ନାରାୟଣପ୍ରସାଦ ଓ ଖୁଣ୍ଟିଗୋରାରେ ବିଦ୍ୟୁତ ବିଭାଗ ପକ୍ଷରୁ ମେଣ୍ଟେନେନ୍ସ ଗୃହ ନିର୍ମାଣ ସହ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମନମୁଣ୍ତା ସ୍ବାସ୍ଥ୍ୟ କେନ୍ଦ୍ର ନିର୍ମାଣ ହେଲେ ଅଞ୍ଚଳର ଶିଶୁମାନଙ୍କୂ ଉନ୍ନତ ଚିକିତ୍ସା ଯୋଗାଇବ ବୋଲି ସୂଚନା ଦେବା ସହ କଣ୍ଟାମାଳ ସ୍ବାସ୍ଥ୍ୟ କେନ୍ଦ୍ରକୁ ଠିକ ଭାବରେ ଗୁରୁତ୍ବ ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଅସଂପୂର୍ଣ୍ଣ ଅଙ୍ଗନୱାଡି ଗୁଡିକ ସଂପୂର୍ଣ୍ଣ କରିବା ସହ କୁନିକୁନି ପିଲାଙ୍କୁ ଆକର୍ଷିତ କରିବା ପାଇଁ ରଙ୍ଗ ଚିତ୍ର କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ବିଭିନ୍ନ ବିଭାଗରେ ଉନ୍ନୟନ ଅର୍ଥ ଖର୍ଚ୍ଚ ହୋଇପାରୁ ନଥିବାକୁ ନେଇ ବିଧାୟକ ଶ୍ରୀ ରଣା ଅସନ୍ତୋଷ ପ୍ରକାଶ କରିବା ସହ ଉନ୍ନୟନ କାର୍ଯ୍ୟକୁ ତ୍ବରାନ୍ନିତ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଜଳ ଓ ପରିମଳ ବିଭାଗ, ପ୍ରାଣୀଧନ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ, ଜଳଛାୟା ବିଭାଗ, ଜଙ୍ଗଳ ବିଭାଗ, ଉଠାଜଳ ସେଚନ ବିଭାଗ, କ୍ଷୁଦ୍ର ଏବଂ ବୃହତ ଜଳ ସେଚନ ବିଭାଗ, ଯୋଗାଣ ବିଭାଗ, ସାମାଜିକ କଲ୍ୟାଣ ବିଭାଗ, ପଞ୍ଚାୟତିରାଜ ବିଭାଗ, ବିଦ୍ୟୁତ ବିଭାଗ, ଶ୍ରମ ବିଭାଗ ଆଦି ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟ ବିଷୟରେ ତଦାରଖ କରିଥିଲେ । ଉକ୍ତ ସମୀକ୍ଷା ବୈଠକରେ ବ୍ଲକ ଅଧ୍ୟକ୍ଷା ଯାଜ୍ଞସେନୀ ପ୍ରଧାନ, ଉପଜିଲ୍ଲାପାଳ ଅଶ୍ୱିନୀ କୁମାର୍ ମେହେର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିବିତା ରାଣୀ ଦଳବେହେରା, ବୌଦ୍ଧ ବିଡିଓ ଦେବୀ ପ୍ରସାଦ ଦାଶ, ବୌଦ୍ଧ ବ୍ଲକ ଅଧ୍ୟକ୍ଷା ରେବତୀ ମହାଲିକ, କଣ୍ଟାମାଳ ବିଡିଓ ବନ୍ଦନା ଖଟୁଆଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ବିଭାଗର ବିକାଶ ମୂଳକ କାର୍ଯ୍ୟ ଉପରେ ବିଧାୟକ ଶ୍ରୀ ରଣା ସମୀକ୍ଷା କରିଥିଲେ ।

Leave A Reply

Your email address will not be published.