jayashree

ମା’ ତାରାତାରିଣୀ ମନ୍ଦିରରେ ଦଶହରା ପର୍ବ ତଥା ଷୋଡ଼ଶ ପୂଜାର ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆସନ୍ତା ୬ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ତଥା ବିଶ୍ୱ ବନ୍ଦନୀୟା ମା’ ତାରାତାରିଣୀ ମନ୍ଦିରରେ ପବିତ୍ର ଦଶହରା ପର୍ବ ପାଳନ ଅବସରରେ ଆୟୋଜନ ହେବ ଷୋହଳ ଦିନ ବ୍ୟାପୀ ଷୋଡ଼ଶ ପୂଜାର୍ଚ୍ଚନା । ଯଥା ବିଧିବଦ୍ଧ ଭାବେ ଷୋଡଶ ଉପଚାରରେ ପୂଜା ଆସର ସମ୍ପାଦିତ ହେବ ବୋଲି ପ୍ରଶାସନିକ ସ୍ତରରେ ଆଲୋଚନା ହୋଇଛି । ବୁଧବାର ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମା’ଙ୍କ ବେଶ ସହ ଚଣ୍ଡୀପାଠ ୧୬ ଦିନ ପର୍ଯ୍ୟନ୍ତ ହେବା ସହ ଅନ୍ୟସବୁ ପ୍ରସ୍ତୁତି ଆୟୋଜନ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ଏହି ଷୋଡ଼ଶ ବେଶ ଦେଖିବା ଦୈନିକ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବାର ଦୃଷ୍ଟିକୁ ଲକ୍ଷ୍ୟରଖି ବ୍ୟାପକ ବନ୍ଦୋବସ୍ତ କରାଯିବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଉ ମାତ୍ର ହାତ ଗଣତି ଦୁଇ ଦିନ ରହିଛି । ତେଣୁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ କରିବାକୁ କୁହାଯାଇଛି । ମନ୍ଦିରର ସଫେଇ ସଠିକ୍‌ ଭାବେ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଗତବର୍ଷ ଦୀପପିଣ୍ଡକୁ ନେଇ ଛୋଟ ଅଘଟଣ ଘଟିଥିଲା । ଏହାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ପହରା ଦେଇ ଜଗି ରହିବ ବୋଲି ମତପ୍ରକାଶ ପାଇଛି । ଅଘଟଣ ଘଟିବା ଭଳି ସ୍ଥାନରେ ଦୀପ ବାରଣ ରହିଛି । ୬ ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ଷୋଡ଼ଶ ପୂଜା ମା’ଙ୍କ ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ, ସମସ୍ତ କାମ ଯେପରି ସଠିକ୍‌ ଭାବେ ସମାପ୍ତ ହେବ ସେନେଇ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଛନ୍ତି । ଆସନ୍ତା ଶୁକ୍ରବାର ଦିନ ଶହେଜଣ ମହିଳା ମନ୍ଦିର ଉପରକୁ କଳସ ପାଣି ନେଇକି ଯିବେ, ତେଣୁ ସମସ୍ତ ପାହାଚ ସଫା ସହ ଆଲୋକ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଛତ୍ରପୁର ଉପଜିଲାପାଳ ପ୍ରସନ୍ନ ପାତ୍ର, ଜିଲ୍ଲା ସହରାଞ୍ଚଳ ନିର୍ବାହୀ ଅଧିକାରୀ ନୀଳମାଧବ ଭୋଇ, ବିଡିଏ ସଚିବ ସମ୍ବିତ କୁମାର ରାଉତ, ମନ୍ଦିର ଟ୍ରଷ୍ଟ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ମନ୍ଦିର ସେବାୟତ ସଂଘର ସଭାପତି ତପନ ରଣା, ମୁଖ୍ୟ ପୂଜକ ବାପୁଜୀ ରଣା, ସ୍ଥାନୀୟ ବିଡିଓ ବିଜୟ କୁମାର ବେହେରା, ତହସିଲଦାର, ଗଞ୍ଜାମ ଅବକାରୀ ଅଧୀକ୍ଷକ ଦେବୀ ପ୍ରସାଦ ଦାଶ, ସୁଜିତ ନାୟକ, ପୁରୁଷୋତ୍ତମପୁର ଥାନାଧିକାରୀ ସମୀର କୁମାର ରାଉତରାୟଙ୍କ ସମେତ ବିଭିନ୍ନ ଲାଇନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.