ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଜିଲ୍ଲା କଳାକାର ସଂଘର ସାଧାରଣ ପରିଷଦ ବୈଠକ ତଥା ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରିଥିଲେ ସଭାପତି ଅବଦୁଲ ଜମାଲ ଖାନ, ସଂପାଦକୀୟ ବିବରଣୀ ପାଠ କରିଥିଲେ ସଂପାଦକ ପ୍ରଭାକର ମିଶ୍ର ଓ ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ କୋଷାଧ୍ୟକ୍ଷ ପ୍ରଭଞ୍ଜନ ରାୟଗୁରୁ । ସଭାପତି ଶ୍ରୀ ଖାନ ଉପସ୍ଥିତ ସଦସ୍ୟମାନଙ୍କୁ ସଂଘର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ସଂଗଠନକୁ କିପରି ସୁଦୃଢ କରାଯାଇ ପାରିବ ସେ ଉପରେ ପରାମର୍ଶ ଦେଇଥିଲେ । ଏତଦ୍୍ ବ୍ୟତୀତ ଜିଲ୍ଲା କଳାକାର ସଂଘ ତରଫରୁ ଏକ ପୁସ୍ତିକା “କଳାକାର ପରିଚିତି” ପ୍ରକାଶ କରାଯିବା ଉପରେ ସମସ୍ତଙ୍କୁ ଅବଗତ କରିଥିଲେ । ଆଜିର ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ଯଥା ସମସ୍ତ କଳାକାରମାନଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯିବା, କଳାକାରମାନେ କୌଣସି ସମୟରେ ସ୍ୱାସ୍ଥ୍ୟ ସମସ୍ୟାରେ ଯଦି ପଡିବେ ସେ ସମୟରେ କଳାକାରମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଆମ୍ବୁଲାନ୍ସର ବ୍ୟବସ୍ଥା କରି ସୁବିଧା ଚିିକିତ୍ସା ଯୋଗାଇ ଦେବା, ପ୍ରକୃତ କଳାକାରମାନଙ୍କୁ ଚିହ୍ନଟ କରି କଳାକାର ଭତ୍ତା ଦେବା, ଜିଲ୍ଲାର ଇଚ୍ଛୁକ କଳାକାରମାନଙ୍କୁ ସଦସ୍ୟ ଭାବରେ ଗ୍ରହଣ କରିବା, ଉପଖଣ୍ଡ ପଂଚାୟତ ସମିତି ତଥା ଗ୍ରାମ ପଂଚାୟତ ସ୍ତର ପର୍ଯ୍ୟନ୍ତ ସଂଗଠନକୁ ସମ୍ପ୍ରସାରିତ କରିବା, କଳା ମଣ୍ଡଳ ପଡିଆରେ ଏକ ଅଡିଟରିୟମ ନିର୍ମାଣ କରାଯିବା, କଳା ମଣ୍ଡଳ ପଡିଆ ପାଇଁ ଆସିଥିବା ଅନୁଦାନ ଠିକ୍ ଭାବରେ ଖର୍ଚ୍ଚ କରି ପଡିଆ ଉନ୍ନତି କରିବା, ସଂସ୍କୃତି ବିଭାଗ ବଲାଙ୍ଗିର ତରଫରୁ ସହରାଞ୍ଚଳ ପାଇଁ ନଗର କଳା ସାଂସ୍କୃତିକ କମିଟି ଗଠନ କରାଯିବା, ସଂସ୍କୃତି ବିଭାଗ ତରପରୁ ଗଢା ଯାଇଥିବା କମିଟିର ପୁର୍ନଗଠନ କରିବା ଇତ୍ୟାଦି । ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ତଥା ସଂଗଠନ ପାଇଁ ସଦସ୍ୟ ସଂଖ୍ୟା ବୃଦ୍ଧି କରିବା ପାଇଁ ଦୁଇ ଗୋଟିଏ କମିଟି ଗଠନ କରାଯାଇଛି । ଏଥିରେ ମୁରଲିଧାରୀ ପତି ଓ ରାମ ପ୍ରସାଦ ଦାଶଙ୍କୁ ଆବହକ ଭାବେ ମନୋନୀତ କରାଯାଇଥିଲା । ଆଗାମୀ ଦିନରେ ସଂଘକୁ ସୁଦୃଢ କରିବା ପାଇଁ ଆଜିବନ ସଦସ୍ୟ ଗ୍ରହଣ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆଜିର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ପ୍ରହଲ୍ଲାଦ ଦର୍ଜୀ, ମଧୁସୁଦନ ନାୟକ, ମଳୟ ତ୍ରିପାଠୀ, ଦିଲ୍ଲୀପ କୁମାର ସିଂହଦେଓ, ମୁରଲୀଧାରୀ ପତି, ପ୍ରକାଶ ଥନାପତି, ବ୍ରହ୍ମାନନ୍ଦ ବନଛୋର, ଆଲୋକ ଦାସ, ମୀନ କେତନ ପଧାନ, ଭକ୍ତ ନାଏକ, ପ୍ରଶାନ୍ତ ଖମାରୀ, ପ୍ରଫେସର ତରୁଣ କୁମାର ମିଶ୍ର, ସନାତନ ଠାକୁର, ଦିପ୍ତୀ ରଂଜନ ଦାସ, ସୁରେନ୍ଦ୍ର କୁମାର ତ୍ରିପାଠୀ, କାଳୀପ୍ରସାଦ ଷଡଙ୍ଗୀ, କପିଳେଶ୍ୱର ଖମାରୀ, ପ୍ରଦୀପ କୁମାର ବରାଳ, ସଂଗୀତା ଦାସ, ମିଲି ବାରିକ ଓ ଲଳିତ ପୁଝାରୀ ପ୍ରମୁଖ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଯୁଗ୍ମ ସଂପାଦକ ମଧୁସୁଦନ ନାୟକ ।