ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଓଡ଼ିଶା କୈବର୍ତ୍ତ ମହାସଭା ଯୋବ୍ରା କଟକର କର୍ମକର୍ତ୍ତା ତଥା ଉପଦେଷ୍ଟାମାନେ ମା’ ଉଗ୍ରତାରା ପୀଠରେ ମା’ଙ୍କ ପୂଜାର୍ଚ୍ଚନା କରି ସେହି ପୀଠରେ ଏକ କୈବର୍ତ୍ତ ଜାତିର ସମସ୍ୟାକୁ ନେଇ ଆଲୋଚନା ସଭା କରିଥିଲେ । ସମସ୍ୟାକୁ ମୁଖ୍ୟ ପରାମର୍ଶଦାତା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ଶଶିଭୂଷଣ ବେହେରା, ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଅବହେଳିତ ଦଳିତ ଜାତିର ଉତ୍ଥାନ ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ବିଭିନ୍ନ ପଦକ୍ଷେପ ନେବା ପାଇଁ ସୁପରାମର୍ଶ ଦେଇଥିଲେ । ମହାସଭାର ସଭାପତି ଡ଼ଃ ଦେବେନ୍ଦ୍ରନାଥ ବେହେରା ଏହି ଅବସରରେ ସମସ୍ତଙ୍କୁ ସ୍ବାଗତ କରିବା ସହିତ ଆଜିର ସନ୍ଧିକ୍ଷଣ ମୁହୁର୍ତ୍ତରେ ଜାତିପ୍ରେମୀ ଯୁବକମାନେ ଆଗକୁ ଆସି ଉପଦେଷ୍ଟାମାନଙ୍କ ସୁପରାମର୍ଶକୁ ଫଳବତୀ କରାଇବାକୁ ପଦକ୍ଷେପ ନେବାକୁ ଆହ୍ବାନ ଦେଇଥିଲେ । ବରିଷ୍ଠ ଉପଦେଷ୍ଟା ନାରାୟଣ ବେହେରା ଜାତିର ଅତୀତ ବର୍ତ୍ତମାନର ଅବତାରଣା କରି ଭବିଷ୍ୟତକୁ ସୁଦୃଢ କରାଇବା ପାଇଁ ସୁପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । କୋର୍ କମିଟିର ବରିଷ୍ଠ ସଦସ୍ୟ ଅବସରପ୍ରାପ୍ତ ମୁଖ୍ୟମନ୍ତ୍ରୀ ଇଞ୍ଜିନିୟର ବି କେ ପରିଡ଼ା ଜାତିର ସ୍ଵାର୍ଥ ରକ୍ଷା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ । ଆଲୋଚନାରେ ଆଇନଜୀବୀ ଅଶୋକ ଦଳାଇ, ରାମଚନ୍ଦ୍ର ଦଳାଇ, ଅଧ୍ୟାପକ ଶୁଭ୍ରାଂଶୁ ବେହେରା, ପ୍ରାକ୍ତନ ସଭାପତି ଜଗବନ୍ଧୁ ବେହେରା, କଟକରୁ କୁଶ ବେହେରା, ଭୈରବ ବେହେରା, ବିଭୁତି ବେହେରା, ପ୍ରଭୁରାଜ ବେହେରା, ଯୁବନେତା ସୌମ୍ୟ ପ୍ରସାଦ, ଚିଲିକା, ଗଞ୍ଜାମ ଓ ବ୍ରହ୍ମପୁରରୁ ବୈକୁଣ୍ଠ ବେହେରା, ଦେବେନ୍ଦ୍ର ବେହେରା, ସତ୍ୟବାଦୀ ବେହେରା, ଚିଲିକା ମତ୍ସ୍ୟଜୀବୀ ସମବାୟ ସମିତିର ସଭାପତି ସମ୍ପାଦକ ତଥା ଜାତି ପ୍ରତିନିଧିମାନେ ଏବଂ କୁଜଙ୍ଗ ଅଞ୍ଚଳର ଶରତ ବେହେରା, ବସନ୍ତ ସାମଲ ପ୍ରମୁଖ ଯୋଗଦେଇ ନିଜ ନିଜର ମତାମତ ରଖିଥିଲେ । ମହାସଭାର ସମ୍ପାଦକ ରାମଚନ୍ଦ୍ର ବେହେରା ଜାତି ଆଗରେ ଦେଖାଦେଇଥିବା ସମସ୍ୟାର ଅବତାରଣା କରି ଏହାର ସୁସମାଧାନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଶେଷରେ କାର୍ଯ୍ୟକ୍ରମକୁ ସଫଳ କରାଇଥିବାରୁ ଅତିଥି ଓ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ସମ୍ପାଦକ ଶ୍ରୀ ବେହେରା ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ ।