ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ସଦର ଖପ୍ରାଖୋଲ ପ୍ରହରୀ ମଣ୍ଡପଠାରେ ଶୁକ୍ରବାର ଖପ୍ରାଖୋଲ ଅଞ୍ଚଳବାସୀମାନଙ୍କ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ଖପ୍ରାଖୋଲ ଡାକ୍ତରଖାନାରେ ବିଶେଷଜ୍ଞ ଅଭାବରୁ ରୋଗୀମାନେ ହଇରାଣ ହେଉଥିବାରୁ ଗତ ୧୧ ତାରିଖ ଶୁକ୍ରବାର ଦିନ ଖପ୍ରାଖୋଲ ଅଞ୍ଚଳର ଗ୍ରାମବାସୀମାନେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଜରିଆରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀପତ୍ରରେ ଉଲ୍ଲେଖ କରାଯାଇଥିଲା ଯେ, ଖପ୍ରାଖୋଲ ଡାକ୍ତରଖାନାରେ ବିଶେଷଜ୍ଞ ଅଭାବରୁ ରୋଗୀ ବହୁତ ହଇରାଣ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ୧୫ ଦିନ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା ପ୍ରଶାସନକୁ ନଚେତ ଖପ୍ରାଖୋଲ ଅଞ୍ଚଳବାସୀ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନ, ଧାରଣା ଦେବା ସହ ଖପ୍ରାଖୋଲ ଦୋକାନ ବଜାର ବନ୍ଦ କରାଯିବ ବୋଲି ଲେଖା ଯାଇଥିଲା । ପନ୍ଦର ଦିନ ବିତି ଯାଇଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରି ନାହିଁ । ସେଥିପାଇଁ ଆସନ୍ତା ୨୮ ତାରିଖ ସୋମବାର ଦିନ ଏକ ବିରାଟ ଶୋଭାଯାତ୍ରା ବାହାର କରିବା ପାଇଁ ଖପ୍ରାଖୋଲ ଅଞ୍ଚଳବାସୀଙ୍କ ମଧ୍ୟରେ ଖପ୍ରାଖୋଲ ପ୍ରହରୀ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମସ୍ୟାର ସମାଧାନ ଉପରେ ଏବଂ ଅଞ୍ଚଳର ସମସ୍ତ ଜନସାଧାରଣଙ୍କୁ ଏହି ଶୋଭାଯାତ୍ରାରେ ଯୋଗଦେବାକୁ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ଆଖପାଖ ଗ୍ରାମର ଜନସାଧାରଣ ସହ ସ୍ଥାନୀୟ ଲୋକ ଯୋଗଦେଇଥିଲେ ।