ଉନ୍ନୟନ ସମନ୍ଵୟ ଓ ତଦାରଖ କମିଟି (ଦିଶା) ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବଲାଙ୍ଗିର ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ତଦାରଖ କମିଟି (ଦିଶା)ର ବୈଠକ କମିଟିର ଅଧ୍ୟକ୍ଷା ତଥା ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଜିଲ୍ଲାପାଳ ଚଞ୍ଚଳ ରାଣା, ବିଭିନ୍ନ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅଧ୍ୟକ୍ଷା, ଦିଶା କମିଟିର ମନୋନୀତ ସଦସ୍ୟ ସଦସ୍ୟାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରାଣା ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ ଆଲୋଚ୍ୟ ବିଷୟ ଉପସ୍ଥାପନା କରିଥିଲେ । ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଓ ସମୃଦ୍ଧି ସକାଶେ ବିଭାଗୀୟ ଅଧିକାରୀମାନେ ଉତ୍ତମ ସମନ୍ଵୟ ରଖି ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପାଦନ କରିବା ସହ ଯୋଜନାଗୁଡିକ ଯେପରି ତୃଣମୂଳ ସ୍ତରରେ ପହଞ୍ଚିପାରିବ ସେଥିପ୍ରତି ଯତ୍ନବାନ ହେବାକୁ ଅଧ୍ୟକ୍ଷା ଶ୍ରୀମତୀ ସିଂହଦେଓ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡିକର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସେ ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତାଗୁଡିକର ସ୍ଥିତି ସମ୍ପର୍କରେ ସମୀକ୍ଷା କରି ଅସମ୍ପୂର୍ଣ୍ଣ ରାସ୍ତାଗୁଡିକର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ଏବଂ ଧାର୍ଯ୍ୟ ମାନଦଣ୍ଡକୁ ବଜାୟ ରଖି ଗୁଣବତ୍ତାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାସ୍ତାକାମ ନିମ୍ନମାନର ହୋଇଥିବା ଅଭିଯୋଗ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇ ଏହାର ଗୁଣବତ୍ତା ଉପରେ ସ୍ଵତନ୍ତ୍ର ଯାଞ୍ଚ କରାଯିବା ନିମନ୍ତେ ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର କମିଟିର ଅଧ୍ୟକ୍ଷାଙ୍କୁ ଅବଗତ କରିଥିଲେ । ସରକାରଙ୍କ ବିଭିନ୍ନ ଯୋଜନାର ରୂପରେଖ ଓ କାର୍ଯ୍ୟକାରିତା ଏବଂ ହିତାଧିକାରୀମାନେ ପାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ଏକ ସୂଚନା ପତ୍ର ପ୍ରସ୍ତୁତ କରି ସମସ୍ତ ନିର୍ବାଚିତ ପ୍ରତିନିଧିମାନଙ୍କୁ ଅବଗତ କରିବାକୁ କମିଟିର ଅଧ୍ୟକ୍ଷା ଶ୍ରୀମତୀ ସିଂହଦେଓ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅମୃତ ଯୋଜନାରେ ଅନ୍ତର୍ଗତ ମହାରାଣୀ ସାଗର ଏବଂ ଶିବ ବନ୍ଧରେ ଯଥା ଶୀଘ୍ର କାମ ଶେଷ କରିବା ସହ ଅନ୍ୟ ବନ୍ଧଗୁଡିକର ଡିପିଆର ଶେଷ କରିବାକୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଏମ୍‌ଜିଏନ୍‌ଆର୍‌ଇଜିଏ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଓ ସହରାଞ୍ଚଳ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସେ ସମୀକ୍ଷା ହୋଇଥିଲା । ତୁରେକେଲା ଲାଠୋର ଅନ୍ତର୍ଗତ ଟାଟା ପାୱାରର ୩୩ କେଭି ଲାଇନ ବିଛେଇବାକୁ ନେଇ ହୋଇଥିବା ଅସୁବିଧାକୁ ଯଥା ଶୀଘ୍ର ସମାଧାନ କରିବାକୁ ଟିପିଡବ୍ଲୁଓଡିଲ କତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ । ବୈଠକ ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.