- ସଭାରେ ଅଧ୍ୟକ୍ଷଙ୍କ ଅପବ୍ୟବହାର ଯୋଗୁଁ ବୈଠକ ଘଣ୍ଟାଏ ବନ୍ଦ
- ଠିକା କାମକୁ ନେଇ ସମିତି ସଭ୍ୟ – ସରପଞ୍ଚ ଟଣା ଓଟରା
ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ୧୧ଟାରେ ଦେଓଗାଁ ବ୍ଲକ ସଭା କକ୍ଷରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀ ସଭାପତିତ୍ୱ କରିଥିବା ବେଳେ ବିଡିଓ ସୁରେନ୍ଦ୍ର ମେହେର, ବଲାଙ୍ଗିର ବିଧାୟକ ପ୍ରତିନିଧି ଅସୀତ ମିଶ୍ର, ଉପଧ୍ୟକ୍ଷା ସୂର୍ଯ୍ୟକାନ୍ତୀ ଛତ୍ରିଆ, ଜିଲ୍ଲା ପରିଷଦ ସଭ୍ୟ ମମତା କୁମୁରା, ସୁମତୀ ସେଠ ବିଭିନ୍ନ ପଞ୍ଚାୟତରୁ ସମିତି ସଭ୍ୟସଭ୍ୟା, ସରପଞ୍ଚ ଓ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଜିପିଇଓ ବୀଣା ପଧାନ ଗତ ବୈଠକର ବିବରଣୀ ପଠନ କରିଥିଲେ ।
ସଭା ଆରମ୍ଭରେ ବ୍ଲକ ଅଧ୍ୟକ୍ଷ ବ୍ଲକର ସ୍ୱାର୍ଥ ଦୁଷ୍ଟରୁ ଶୃଙ୍ଖଳିତ ଭାବେ ଆଲୋଚନା କରିବାକୁ ଅନୁରୋଧ କରିଥିଲେ ମଧ୍ୟ ସଭା ଭିତରକୁ ହାତୀସରା ସମିତି ସଭ୍ୟ ବିଶ୍ୱଜିତ ପାତ୍ର ଛେଲି ଆଣି ଲୋକମାନେ ଦୀର୍ଘ ଦିନରୁ କରିଥିବା ଗାଈ ଗୁହାଲର ଟଙ୍କା ନ ପାଇବା ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ ଯେଉଁ ଢ଼ଙ୍ଗରେ ଦୃଷ୍ଟି ଆକର୍ଷଣ କରାଗଲା ତାହା ଉପରେ ବିରକ୍ତି ପ୍ରକାଶ କରି ବ୍ଲକ ଅଧ୍ୟକ୍ଷ ଶ୍ରୀ ଖମାରୀ ସଂପୃକ୍ତ ସଭ୍ୟଙ୍କୁ ଚଢ଼ା ଗଳାରେ ବାହରକୁ ଚାଲି ଯିବାକୁ ଇଂରାଜୀରେ ନିର୍ଦେଶ ଦେବାରୁ ଏହି ନିଷ୍ପତ୍ତିକୁ ସରପଞ୍ଚ ଓ ସମିତି ସଭ୍ୟମାନେ ବିରୋଧ କରି ବ୍ଲକ ଅଧ୍ୟକ୍ଷ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବୀ କରିଥିଲେ । ସେଥି ଯୋଗୁଁ ପ୍ରାୟ ଗୋଟିଏ ଘଣ୍ଟା ସଭା କାର୍ଯ୍ୟ ବନ୍ଦ ହୋଇଥିଲା । ପରିସ୍ଥିତି ଏପରି ହେଲା ଯେ, ସଭା ଭିତରକୁ ପୁଲିସ ଯିବାର ଦେଖାଯାଇଥିଲା । ପଞ୍ଚାୟତ ସମିତି ଗଠନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏପରି ଘଟଣା ଘଟି ନାହିଁ ବୋଲି ନିଜେ ବ୍ଲକ ଅଧ୍ୟକ୍ଷ ଖମାରୀ କହୁଥିବାର ଦେଖାଯାଇଥିଲା । ଘଣ୍ଟାଏ ପରେ ବୁଝାମଣା କରି ପୁଣି ଥରେ ଆଲୋଚନା ଆରମ୍ଭ ହୋଇଥିଲା । ପଞ୍ଚାୟତ ଓ ବ୍ଲକ ମାଧ୍ୟମରେ ପଞ୍ଚାୟତ ବାର୍ଷିକ ଖସଡ଼ାରେ ଏସ୍ଏଫ୍ସି ୫ଓ ସିଏଫ୍ସି ୧୫ରେ ଆସିଥିବା ପ୍ରାୟ ୧ କୋଟିରୁ ଅଧିକ ଟଙ୍କା ଅନୁଦାନକୁ ହେବାକୁ ଥିବା ଠିକା କାମ, ସ୍ୱାସ୍ଥ୍ୟ, ଶିକ୍ଷା, ଉପରେ ଆଲୋଚନା ହୋଇଥିଲା । ଦେଓଗାଁରେ ନୂଆଁ ହସ୍ପିଟାଲ କୋଠା ନିର୍ମାଣ, ସ୍କ୍ରିନିଂ କମିଟି ଗଠନ କରିବାକୁ ସାଲେପାଲି ସମିତି ସଭ୍ୟ ଲକ୍ଷଣ ମେହେର ଦାବୀ ଉପସ୍ଥାପନ କରିଥିଲେ । ସେହିପରି ଦେଓଗାଁରେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପ କାହା ଅଧୀନରେ ଅଛି ତାକୁ କିଏ ଭଡା ନେଇଛି ବୋଲି ଦେଓଗାଁ ସରପଞ୍ଚ ନିନା ଛତ୍ରିଆ ପ୍ରଶ୍ନ କରିଥିଲେ । ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ବ୍ଲକ ବାହାରକୁ ଡେପୁଟେସନ ଯାଇଛନ୍ତି ତାହାକୁ ବାତିଲ କରାଯାଉ ବୋଲି ସିକୁଆ ସରପଞ୍ଚ ରାଜ କୁମାର ଭୋଇ ଦାବୀ କରିଥିଲେ । ଅର୍ଜୁନପୁର ପଞ୍ଚାୟତର ଆଦର୍ଶ ଗାଁ ଅଏଲାପାଲିର ବ୍ଲକ ପ୍ରଶାସନ ମନମୁଖୀ କାମ କରୁଛି ଆଦର୍ଶ ଗାଁ କମିଟିର ଅଧ୍ୟକ୍ଷ ସଂପୃକ୍ତ ସରପଞ୍ଚ ଥିଲେ ମଧ୍ୟ ଡାକୁ ନାହାନ୍ତି ବୋଲି ସରପଞ୍ଚ ଗୀତା ଜଗଦଲ କହିଥିଲେ । ଘୁଡୁକାପଳା ସରପଞ୍ଚ ଅଙ୍ଗନବାଡି ଗୃହ ନ ଥିବାରୁ ବାହାରେ ଶିଶୁମାନେ ରହୁଛନ୍ତି ମାଲପଡାକୁ କେବେ ଜଳ ଯୋଗାଣ ହେବ ବୋଲି କହିଥିବା ବେଳେ ସିଂହାମୁଣ୍ଡା ସରପଞ୍ଚ ଆମ୍ବଘାଟରେ ପିଇବା ପାଣିର ଅଭାବ ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ । କୃଷି ବିଷୟରେ ଆଲୋଚନା କରିବା ପାଇଁ ଆରମ୍ଭ କରାଯାଇଥିବା ବେଳେ କର୍ମଚାରୀ ଅନୁପସ୍ଥିତ ଥିବାରୁ ଆଲୋଚନା ହୋଇପାରି ନଥିଲା । ବର୍ତ୍ତମାନ ଖରିଫ ଚାଷ ସମୟ । କେଉଁ ପଞ୍ଚାୟତରେ କେଉଁ କେଉଁ ଚାଷ କେତେ ପରିମାଣରେ ହେବ । ସେଥିପାଇଁ କୃଷି ବିଭାଗ କେତେ ପ୍ରସ୍ତୁତ ଜାଣିବା ପାଇଁ ପ୍ରତିନିଧିମାନେ ଉତ୍କଣ୍ଠା ସହ ଜାଣିବାକୁ ଚାହିଁଥିବା ବେଳେ ବୈଠକରେ ବ୍ଲକ କୃଷି ଅଧିକାରୀ ଅନୁପସ୍ଥିତ ଯୋଗୁଁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଥିଲା । ପରିଶେଷରେ ଦେଓଗାଁ ପଞ୍ଚାୟତ ସମିତି ଗଠନ ହେଲା ଦିନରୁ ଏମିତି ବିଶୃଙ୍ଖଳା ବୈଠକ କେବେ ହୋଇ ନଥିଲା । ପଞ୍ଚାୟତ ସମିତି ଆକ୍ଟରେ ଯେତେ ନିୟମ ଅଛେ ସବୁ ଲାଗୁ କରାଯାଇ ସମସ୍ତେ ମିଳିମିଶି କାମ କରନ୍ତୁ ବୋଲି ଅଧ୍ୟକ୍ଷ ଶ୍ରୀ ଖମାରୀ କହିଥିଲେ ।