ବଲାଙ୍ଗିର, (କେପିଏନ୍ଏସ୍) : ଆଜି ରବିବାର ସକାଳ ୧୧:୩୦ ଘଣ୍ଟାରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସାଧରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ମଞ୍ଚର ବରିଷ୍ଠ ସଭ୍ୟ ତଥା ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠୀ ଏକ ଜଗନ୍ନାଥ ଜଣାଣ ଗାନ କରିଥିଲେ । ଏହା ପରେ ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସାଧାରଣ ସମ୍ପାଦକ ମନୋରଞ୍ଜନ ମିଶ୍ର ପୂର୍ବ ସଭାର ବିବରଣୀ ଉପସ୍ଥାପନ କରିଥିଲେ ଯାହାକୁ କରତାଳି ମାଧ୍ୟମରେ ଅନୁମୋଦନ କରାଯାଇଥିଲା । ଏହାପରେ ଶ୍ରୀ ମିଶ୍ର ସମ୍ପାଦକ ସଭାରେ ଆଲୋଚନା ହେବାକୁ ଥିବା ଏଜେଣ୍ଡା ଉପସ୍ଥାପନ କରିଥିଲେ । ଆନୁଷ୍ଠାନିକ ବିଷୟ ଆଲୋଚନାରେ ସମସ୍ତ ସବଡ଼ିଭିଜନ ଶାଖା ସ୍ଥାପନ କରିବାକୁ ସ୍ଥିର ହୋଇଥିଲା । ଏହା ପରେ ଆର୍ଥିକ ବିଷୟ ଆଲୋଚନା ହୋଇଥିଲା । ଆୟବ୍ୟୟ ଖର୍ଚ୍ଚ ଉପସ୍ଥାପନ କରିଥିଲେ କୋଷାଧ୍ୟକ୍ଷ ନରେନ୍ଦ୍ର କବାଟ । ସଭ୍ୟମାନଙ୍କୁ ଆଜୀବନ ସଦସ୍ୟତା ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା । ଯେଉଁ ସଭ୍ୟମାନେ ଦୀର୍ଘ ଦିନରୁ ବାର୍ଷିକ ଦେୟ ଦେଇନାହାନ୍ତି ସେମାନଙ୍କୁ ଏହା ଯଥାଶୀଘ୍ର ପୈଠ କରିବାକୁ ସଭାପତି ଅନୁରୋଧ କରିଥିଲେ । ସଭାରେ ନିଜସ୍ୱ ମତାମତ ଉପସ୍ଥାପନ କରିବାକୁ ଆହ୍ୱାନ କରାଯାଇଥିଲା । ଅନେକ ବିଶିଷ୍ଠ ବ୍ୟକ୍ତି ଯଥା ଉପସଭାପତି ଦ୍ୱୟ ପ୍ରଫୁଲ୍ଲ ସାହୁ, ବିରଞ୍ଚି ହୋତା, ଧର୍ମବ୍ରତ ରଥ, ଧନଞ୍ଜୟ ମିଶ୍ର, ମଲିଆ ଗଡୁଆ, ପୀତବାସ ପଣ୍ଡା, ଲୋଇସିଂହା ଓ ଆଗଲପୁର ଶାଖାର ସମ୍ପାଦକ ରାଜେନ୍ଦ୍ର ବିଶ୍ୱାଳ, ଗୁଡଭେଲା, ତୁଷୁରା ଓ ସଇଁତଲା ଶାଖାର ସମ୍ପାଦକ ସୁଧାଂଶୁ ଶେଖର ବାବୁ, ହରେକୃଷ୍ଣ ମେହେର ଓ ପ୍ରଭାତ ମେହେର ପ୍ରମୁଖ ଆଲୋଚନାରେ ଭାଗ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ମତାମତ ଉପସ୍ଥାପନ କରିଥିଲେ । ମଞ୍ଚର ପ୍ରତିଷ୍ଠା ଦିବସ ଆସନ୍ତା ୨୬/୦୬/୨୦୨୩ରେ ଅନୁଷ୍ଠିତ ହେବା ବିଷୟ ସଭାପତି ଉପସ୍ଥାପନ କରିଥିଲେ । ନିକଟରେ ମହିଳା ଶାଖା ଖୋଲିବା ପାଇଁ ସଭାରେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ସର୍ବଶେଷରେ ଅତିରିକ୍ତ ସାଧରଣ ସମ୍ପାଦକ ସୁନୀଲ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସଭାପତି ସଭା ସାଙ୍ଗ କରିଥିଲେ ଓ ମଧ୍ୟାହ୍ନ ଭୋଜନ ପାଇଁ ସମସ୍ତ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ।
Prev Post