jayashree

ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ

  • ଜିଲ୍ଲା ଅଧିକାରୀ ଅନୁପସ୍ଥିତ ଥିବାରୁ ବୈଠକରେ କ୍ଷୋଭ ପ୍ରକାଶ
  • ଆବଶ୍ୟକ ମୁତାବକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରମୁଖ ନୃସିଂହନାଥ ତୀର୍ଥ ସ୍ଥଳୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳାର ଏକ ପ୍ରସ୍ତୁତି ବୈଠକ ଭୋଗ ମଣ୍ଡପ ପରିସରରେ ଭାରପ୍ରାପ୍ତ ଉପଜିଲ୍ଲାପାଳ ସଦାକର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳାକୁ ପୂର୍ବ ବର୍ଷ ତୁଳନାରେ ଅଧିକ ଆକର୍ଷଣୀୟ ଓ ସୁଚାରୁ ରୂପରେ ପରିଚାଳନା କରିବା ପାଇଁ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ଓ ଜିଲ୍ଲାର ଅନ୍ୟ ଉଚ୍ଚ ଅଧିକାରୀମାନଙ୍କ ଅନୁପସ୍ଥିତକୁ ନେଇ ତୀବ୍ର ସମାଲୋଚନା କରାଯାଇଥିଲା । ଅନ୍ୟ ପକ୍ଷରେ ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ଏହି ମେଳା ପ୍ରତି ପ୍ରଶାସନିକ ଅବହେଳା ଏବଂ ଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ଆନ୍ତରିକତା ନଥିବା ସ୍ପଷ୍ଟ ଭାବରେ ଜଣାପଡୁଛି ବୋଲି ମତ ପ୍ରକାଶ ପାଇଥିଲା । ଏହା ପରେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନଙ୍କ ଦ୍ୱାରା ଗତ ବର୍ଷ ମେଳାର ଆୟବ୍ୟୟ ବିବରଣୀ ପାଠ କରାଯାଇଥିଲା । ଏହାପରେ ବିଦ୍ୟୁତ, ପାନୀୟ ଜଳ, ପୋଲିସ, ସ୍ୱାସ୍ଥ୍ୟ, ଅଗ୍ନିଶମ, ଅବକାରୀ ବିଭାଗର କାର୍ଯ୍ୟ ବାବଦରେ ବିସ୍ତ୍ରୁତ ଭାବରେ ଆଲୋଚନା ହେବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଯାଇଥିଲା । ବୈଶାଖ ମେଳା ପାଇଁ ଆବଶ୍ୟକ ମୁତାବକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରାଯାଇଥିଲା । ମେଳାର ପ୍ରଚାର ପ୍ରସାର ପାଇଁ ସମ୍ବାଦିକ ବନ୍ଧୁ ମାନଙ୍କୁ ମୁଖ୍ୟ ଦାୟିତ୍ୱ ପ୍ରଦାନ କରାଯିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅଧିକ ସୃଦୃଢ଼ କରିବା ପାଇଁ ପୋଲିସ ବିଭାଗ ତରଫରୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଭୁତି ଭୂଷଣ ଭୋଇ କହିଥିଲେ । ଚଳିତ ବର୍ଷ ମେଳାକୁ ସୁଚାରୁ ରୂପରେ ପରିଚାଳନା କରିବା ପାଇଁ ଏକ ୩୫ ଜଣିଆ ମେଳା କମିଟିର ଗଠନ କରାଯାଇଥିଲା । ଏହି କମିଟିର ସଭ୍ୟମାନଙ୍କୁ ଗତବର୍ଷ ଭଳି ବିଭିନ୍ନ ବିଭାଗର ଦାୟିତ୍ୱ ଅର୍ପଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ପାଇକମାଲ ବିଡ଼ିଓ ତଥା ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟି ସୁରେନ୍ଦ୍ର କୁମାର ସାହୁ, ପାଇକମାଲ ଥାନା ଅଧିକାରୀ ସୁଶାନ୍ତ କୁମାର ବଢ଼େଇ, ଏସ୍‌ଡ଼ିଏମ୍‌ଓ ପଦ୍ମପୁର, ବିଦ୍ୟୁତ ବିଭାଗର ଏସ୍‌ଡ଼ିଓ ପୁରନ୍ଦର ସାହୁ, ଆର୍‌ଡବ୍ଲୁଏସ୍‌ଏସ୍‌ର ସତ୍ୟବ୍ରତ ମାଝୀ, ପାଇକମାଲ ରେଞ୍ଜର, ଅବକାରୀ ସବଇନ୍ସପେକ୍ଟର, ଅଗ୍ନିଶମ ବିଭାଗର ଅଧିକାରୀଙ୍କ ସମେତ ପାଇକମାଲ ପଦ୍ମପୁର ଓ ଝାରବନ୍ଧ ଅଂଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ନୃସିଂହନାଥ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.