oum

କୃଷି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଧବଳେଶ୍ୱର ପୋଲର ନିର୍ମାଣ କାର୍ଯ୍ୟ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

jsm
  • ନୂତନ ହାଇଲେବୁଲ ସେତୁର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ
  • ଧବଳେଶ୍ୱର ଝୁଲାପୋଲର ମରାମତି ଓ ନବୀକରଣ ପାଇଁ ଫେବୃୟାରୀ ୨୦୨୩ ମସିହା ଜାନୁଆରୀ ୧୦ ତାରିଖ ସୁଦ୍ଧା ସାରିବା ପାଇଁ ପରାମର୍ଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହାନଦୀ ଉପରେ ନୂତନ ଧବଳେଶ୍ୱର ହାଇଲେବୁଲ ପୋଲର ନିର୍ମାଣକାର୍ଯ୍ୟ, ଧବଳେଶ୍ୱର ଝୁଲାପୋଲର ନବୀକରଣ କାର୍ଯ୍ୟ ଏବଂ ଧବଳେଶ୍ୱରକୁ ସଂଯୋଗ କରୁଥିବା ଫେୟାର ୱେଦର ରୋଡ ନିର୍ମାଣ ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଲୋକସଭା ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ବିଜୁ ସେତୁ ଯୋଜନାରେ ମଞ୍ଚେଶ୍ୱର ଘାଟଠାରୁ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ସେତୁର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗ୍ରାମ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଏବଂ ବରିଷ୍ଠ ଯନ୍ତ୍ରୀମାନଙ୍କ ସହିତ ବିସ୍ତୁତ ଭାବେ ଆଲୋଚନା କରି ନିର୍ମାଣ କାର୍ଯ୍ୟକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ କହିଥିଲେ । ବୈଠକର ନିଷ୍ପତ୍ତି ଅନୁଯାୟୀ ପୋଲ ନିର୍ମାଣ ନିମନ୍ତେ ସମସ୍ତ ଷ୍ଟିଲ ଗାର୍ଡର ଫାବ୍ରିକେସନ କାର୍ଯ୍ୟ ୨୦୨୩ ମସିହା ଜାନୁଆରୀ ମାସ ଶେଷ ସୁଦ୍ଧା ସମାପ୍ତ ହେବ । ଷ୍ଟିଲ ଗାର୍ଡର ସ୍ଥାପନ କାର୍ଯ୍ୟ ଜାନୁଆରୀ ୧୫ ତାରିଖରୁ ଆରମ୍ଭ କରାଯାଇ ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ସଂପୂର୍ଣ୍ଣ କରାଯିବ । ସେହିପରି ଡେକ୍‌ ସ୍ଲାବର କାଷ୍ଟିଂ କାର୍ଯ୍ୟ ଫେବୃୟାରୀ ୧୫ ତାରିଖରୁ ଆରମ୍ଭ ହେବ ଓ ଅପ୍ରେଲ ୩୦ ସୁଦ୍ଧା ଶେଷ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ସେତୁକୁ ସଂଯୋଗ କରୁଥିବା ଆପ୍ରୋଚ ରାସ୍ତାର ଉଭୟ ପାଖରେ ଥିବା ବିଦ୍ୟୁତ ସବ୍‌ଷ୍ଟେସନ ଓ ବିଦ୍ୟୁତ ଖୁଣ୍ଟ ଆଦିକୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ଟିପିସିଓଡିଏଲ୍‌ର ନିର୍ବାହୀ ଯନ୍ତ୍ରୀଙ୍କୁ ଅନୁରୋଧ କରାଯିବ । ନୂତନ ହାଇଲେବୁଲ ସେତୁକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ନିମନ୍ତେ ଗଛ କାଟିବା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆଠଗଡର ବନଖଣ୍ଡ ଅଧିକାରୀ ଓ ଓଡିଶା ବନ ଉନ୍ନୟନ ନିଗମ ଜାନୁଆରୀ ୧୫ ତାରିଖ ସୁଦ୍ଧା ବିହିତ ପଦକ୍ଷେପ ନେବେ । କଟକ ଜିଲ୍ଲାପାଳ ଓ ଆଗଠଡର ଉପଜିଲ୍ଲାପାଳ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ।

ସେହିପରି ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲାପୋଲର ମରାମତି ଓ ନବୀକରଣ କାର୍ଯ୍ୟ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଫେବୃଆରୀ, ୨୦୨୩ ସୁଦ୍ଧା ଟେଣ୍ଡର ଡାକିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଗଲା । ଏଥି ସହିତ ଧବଳେଶ୍ୱର ପୀଠକୁ ଫେୟାର ୱେଦର ରାସ୍ତାର ନିର୍ମାଣ କାର୍ଯ୍ୟ ୨୦୨୩ ମସିହା ଜାନୁଆରୀ ୧୦ ତାରିଖ ସୁଦ୍ଧା ସାରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଗଲା ।

ବୈଠକରେ ରୁରାଲ ୱାର୍କସର ଯନ୍ତ୍ରୀମୁଖ୍ୟ ପ୍ରଦୀପ କୁମାର ସାମଲ, ବ୍ରିଜ ଏବଂ ବିଲ୍‌ଡିଂର ମୁଖ୍ୟଯନ୍ତ୍ରୀ ରମେଶ ଚନ୍ଦ୍ର ବେହେରା, ରୁରାଲ ୱର୍କସ, କଟକ ସର୍କଲ ଇନ୍‌ଷ୍ଟ୍ରକସନ୍‌ ଚିଫ୍‌ ଇଂଜିନିୟର ସମୀର କୁମାର ରୁରାଲ ୱାର୍କସ ସୋମନାଥ ପରିଡା, ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ସମେତ ବିଭାଗୀୟ ଅଧିକାରୀ ଓ ରାଜଲକ୍ଷ୍ମୀ କନ୍‌ଷ୍ଟ୍ରକ୍‌ସନ୍‌ ଲିମିଟେଡ୍‌ର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.