ରାଗିଂ ରୋକିବାକୁ ଏସ୍‌ପି ଓ କଲେଜ ଅଧ୍ୟକ୍ଷଙ୍କ ମିଳିତ ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସହରରେ ଗୋଟିଏ ପରେ ଗୋଟିଏ ଉଚ୍ଚ ଶିକ୍ଷାନୁଷ୍ଠାନରେ ରାଗିଂ ଘଟଣା ସାମ୍ନାକୁ ଆସୁଛି । ବିନାୟକ ଆଚାର୍ଯ୍ୟ ସରକାରୀ କଲେଜ ସହ ଖଲ୍ଲିକୋଟ ଜୁନିୟର କଲେଜରୁ ରାଗିଂ ଅଭିଯୋଗ ଆସିବା ପରେ ଊଭୟ କଲେଜ କର୍ତ୍ତୃପକ୍ଷ ଏବଂ ପୁଲିସ ପକ୍ଷରୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ବ୍ରହ୍ମପୁର ଜିଲା ପୁଲିସ ମୁଖ୍ୟାଳୟ ଠାରେ ବରିଷ୍ଠ ପୁଲିସ ଅଧିକାରୀ ଓ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଥିବା ପ୍ରାୟ ୩୦ କଲେଜର ଅଧ୍ୟକ୍ଷ ଏବଂ ଆଣ୍ଟି ରାଗିଂ କିମଟି ସଦସ୍ୟଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ(ଏସପି) ଶର୍ବଣା ବିବେକ ଏମଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଏମ୍‌କେସିଜି ମେଡିକାଲ କଲେଜ ସେମେତ ବିନାୟକ ଆଚାର୍ଯ୍ୟ କଲେଜ ସହ ସହର ଏବଂ ଚିକିଟି, ଦିଗପହଣ୍ଡି, ପାତ୍ରପୁର ଭଳି ଅଞ୍ଚଳରେ ଥିବା କଲେଜର ଅଧ୍ୟାପକ ଏବଂ ଆଣ୍ଟି ରାଗିଂ କମିଟି ସଦସ୍ୟ ଯୋଗ ଦେଇଥିଲେ । ରାଗିଂର ଶିକାର ହେଲେ ସେମାନେ କାହାକୁ ଅଭିଯୋଗ କରିବେ ତାହା କଲେଜକୁ ଆସୁଥିବା ନବାଗତ ଛାତ୍ରଛାତ୍ରୀ ଜାଣିବା ଦରକାର ବୋଲି ଏସପି ବୈଠକରେ କହିଥିଲେ । ଏଥିପାଇଁ କଲେଜର ଆଣ୍ଟି ରାଗିଂ କମିଟିରେ ଥିବା ଅଧ୍ୟାପକ ଓ ଅଧ୍ୟାପିକାମାନେ ନବାଗତ ଛାତ୍ରଛାତ୍ରୀଙ୍କ ସହ ମିଳାମିଶା କରିବା ଉଚିତ । ସେହିପରି ନବାଗତ ଛାତ୍ରଛାତ୍ରୀମାନେ ଆଣ୍ଟି ରାଗିଂ କମିଟି ସଦସ୍ୟଙ୍କ ମୋବାଇଲ ନମ୍ବର ଯେପରି ଅତି ସହଜରେ ପାଇପାରିବେ ସେ ଦିଗରେ ଧ୍ୟାନ ଦିଆଯିବା ଉଚିତ ବୋଲି କହିଛନ୍ତି ଏସପି ।

Leave A Reply

Your email address will not be published.