ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଯାତ୍ରାର ବଉରାପିଟା ଗୁଡ଼ିରୁ ନିଶିଗୁଡ଼ି ଖଳାକୁ ରବିବାର ସକାଳ ୯ଟାରେ ମାଁ ପାଟଖଣ୍ଡା ଦେବୀଙ୍କ ଆଗମନ ହୋଇଥିଲା । ସେହିପରି ଅପରାହ୍ନ ୧ଟା ପରେ ଜେନାପୂଜା ଓ ବିରୁପାଣି ପୂଜା ଏବଂ ରାତ୍ର ୯ଟାରେ ନିଶିଗୁଡ଼ି ଖଳାରେ ଯାତ୍ରା ଆରମ୍ଭ ହୋଇଥିଲା । ଏହି ପୂଜା ସମୟରେ ଜିଲ୍ଲା ତଥା ଜିଲ୍ଲା ବାହାରରୁ ମାନସିକ ଧାରୀମାନେ ଆସି ଗୁହାରୀ କରିଥିବା ବେଳେ ପୂର୍ବରୁ ଏପରି ଗୁହାରୀ କରି ସଫଳତା ପାଇଥିବା ଶ୍ରଦ୍ଧାଳୁମାନେ ଆସି ମାନସିକ ପ୍ରଦାନ କରିଥିଲେ । ଚୀରାଚରିତ ପ୍ରଥା ଅନୁସାରେ ଯାତ୍ରା ସମ୍ପନ୍ନ ହେବା ପରେ ପୁର୍ବାହ୍ନ ୪ଟା ପରେ ଦେଝାରକୁ ପାଟଖଣ୍ଡା ଦେବୀଙ୍କ ବାହୁଡ଼ା ବିଜୟ ବା ଅନ୍ତିମ ଯାତ୍ରା ହେବ । କେବଳ ଦେଓଗାଁ ବ୍ଲକ କି ବଲାଙ୍ଗିର ଜିଲ୍ଲା ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ବିଭିନ୍ନ ଗାଁର ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ସବୁ ପ୍ରକାର ବ୍ୟବସ୍ତା କରାଯାଉଛି । ଆଜି ବାହୁଡ଼ା ବିଜୟ ପରେ ୮ତାରିଖ ବୁଧବାର ଦିନ ଅଷ୍ଟମଙ୍ଗଳା ପର୍ବ କରାଯିବାକୁ ମୁଖ୍ୟ ଆୟୋଜକ ବିଏନ୍ଏଏ ଓ ଗ୍ରାମ୍ୟ ଉନ୍ନୟନ କମିଟି ଜରାସିଂହା ପକ୍ଷରୁ ସୂଚନା ମିଳିଛି ।