jayashree

ସମାଜ ବିରୋଧୀ କାମ ମହଙ୍ଗା ପଡ଼ିଲା : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ତଥା ଆଦିବାସୀ ନେତା ଭାନୁପ୍ରତାପ ସିଂ ମାଝି ଜାତିରୁ ବାସନ୍ଦ ସଂଘରୁ ବହିଷ୍କାର

ନୂଆପଡା, (ନିରାକାର ମେହେର) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜିଲ୍ଲା ସଭାପତି ଭାନୁପ୍ରତାପ ସିଂ ମାଝିକୁ ଆଦିବାସୀ ସଂଘରୁ ବହିଷ୍କାର କରାଯାଇଛି । ଶ୍ରୀ ସିଂ ମାଝି ଆଦିବାସୀ ସମାଜର ନୀତିନିୟମ ଗୁଡିକୁ ଉଲଂଘନ କରିବା ସହିତ ଆଦିବାସୀ ସଂଘର ନିଷ୍ପତ୍ତିକୁ କାର୍ଯ୍ୟନିର୍ବାହ କରିବାରେ ଅସମର୍ଥ ହେବାରୁ ତାଙ୍କୁ ସଂଘରୁ ସର୍ବସମ୍ମତି କ୍ରମେ ବହିଷ୍କାର କରାଯାଇଛି । ଏହା ସହିତ ଗଣ୍ଡ ଆଦିବାସୀ ସମାଜରୁ ଶ୍ରୀ ସିଂ ମାଝିକୁ ବାସନ୍ଦ ଘୋଷଣା କରାଯାଇଛି । କୌଣସି ଆଦିବାସୀ ଶ୍ରୀ ମାଝିକୁ ସାମାଜିକ, ରାଜନୈତିକ, ସଂଘୀୟ କାର୍ଯ୍ୟକଳାପରେ ସାହାଯ୍ୟ ସହଯୋଗ ସମର୍ଥନ କରିବେ ନାହିଁ ବୋଲି ଆଦିବାସୀ ଭବନ ଠାରେ ସଂଘ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅଭିଯୋଗ ଅନୁସାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ ସରପଞ୍ଚ ଏବଂ ବ୍ଲକ ଅଧ୍ୟକ୍ଷ ଆସନ ଗୁଡିକରେ ଓଡିଶା ସରକାର ସଂରକ୍ଷଣ ଉଚ୍ଛେଦ କରିଛନ୍ତି । ସମ୍ବିଧାନ ପ୍ରଦତ୍ତ ରାଜନୈତିକ ଅଧିକାରରୁ ଆଦିବାସୀ ମାନେ ବଞ୍ଚିତ ହେବାରୁ ରାଜ୍ୟବ୍ୟାପୀ ଅସନ୍ତୋଷ ପ୍ରକାଶ ହୋଇଛି । ସଂରକ୍ଷଣ ଲାଗୁ କରିବା ଦାବୀରେ ଆଦିବାସୀ ମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଆଦିବାସୀ କୋଟା କାଟିବା ପାଇଁ ଭାରତୀୟ ସମ୍ବିଧାନରେ ଵିଧି ପୂର୍ବକ ସଂଶୋଧନ ହୋଇନାହିଁ କିମ୍ବା ଓଡିଶା ଗ୍ରାମ ପଞ୍ଚାୟତ ଆଇନ ପରିବର୍ତ୍ତନ ସଂଶୋଧନ ହୋଇନାହିଁ । ସେହିପରି, ଓଡିଶା ପଞ୍ଚାୟତ ସମିତି ଆଇନରେ କୌଣସି ସଂଶୋଧନ କରାଯାଇନାହିଁ । ସମସ୍ତ ଆଇନ କାନୁନ ନିତୀନିୟମ ଵିଧି ବ୍ୟବସ୍ଥା ଆଦିବାସୀ ମାନଙ୍କ ସପକ୍ଷରେ ଅଛି । ସମସ୍ତ ଆଇନ ଅପରିବର୍ତ୍ତିତ ଥିବାବେଳେ ହଠାତ୍‌ ଓଡିଶା ସରକାର ଆଦିବାସୀ କୋଟା କାଟିବା ଘଟଣା ଆଦିବାସୀ ସମାଜରେ ବିପ୍ଳବ ସୃଷ୍ଟି ହୋଇଛି । ଦୀର୍ଘ ପଞ୍ଚସ୍ତର ବର୍ଷର ପ୍ରଚଳିତ ସାମ୍ବିଧାନିକ ଵିଧି ବ୍ୟବସ୍ଥା, ଆଇନ କାନୁନ, ନୀତିନିୟମ ଗୁଡିକୁ ସରକାର ଉଲଂଘନ କରି ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିଛନ୍ତି ବୋଲି ଅଭିଯୋଗ କରି ଆଦିବାସୀ ସଂଘ ଉଚ୍ଚନ୍ୟାୟାଳୟରେ ମାମଲା ଦାୟର କରିଛନ୍ତି । ପଂଚାୟତ ନିର୍ବାଚନରେ ସଂରକ୍ଷଣ କାର୍ଯ୍ୟକାରୀ କରିବା ଦାବୀରେ ଜାନୁଆରୀ ୩ରେ ଜ଼ିଲ୍ଲାର ଦଶ ହଜାରରୁ ଉର୍ଦ୍ଧ ଆଦିବାସୀ ନୂଆପଡା ଜ଼ିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରି ବିକ୍ଷୋଭ କରିଥିଲେ । ସଂରକ୍ଷଣ ସୁରକ୍ଷା ଜିଦରେ ଆଦିବାସୀ ମାନେ ନୂଆପଡା ଜ଼ିଲ୍ଲାର ପଂଚାୟତ କାର୍ଯ୍ୟାଳୟ ଗୁଡିକୁ ତାଲା ପକାଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଶ୍ରୀ ସିଂ ମାଝି ବଲାଙ୍ଗିର ଜ଼ିଲ୍ଲାର ବିକ୍ଷୋଭ ସଭାରେ ଓ ବ୍ଲକ ସ୍ତରୀୟ ଶୋଭାଯାତ୍ରା ଆନ୍ଦୋଳନରେ ଯୋଗ ଦେଇ ସରକାରଙ୍କ ଆଦିବାସୀ ବିରୋଧୀ ନିତୀକୁ କଟୁ ସମାଲୋଚନା କରିଥିଲେ । ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଆଦିବାସୀ ଆନ୍ଦୋଳନ ତୀବ୍ରତର ହେଉଥିବା ବେଳେ ସଂଘର ନିଷ୍ପତ୍ତି ବିରୁଦ୍ଧରେ ଶ୍ରୀ ସିଂ ମାଝି ପଂଚାୟତ ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ପ୍ରଥମେ ଜାତି ସ୍ୱାର୍ଥ ତାପରେ ପାର୍ଟି ନାରା ଦେଉଥିବା ଆଦିବାସୀ ନେତା ସିଂ ମାଝି ପ୍ରଥମେ ପାର୍ଟି ସ୍ୱାର୍ଥକୁ ଉର୍ଦ୍ଧରେ ରଖି ଆଦିବାସୀ ସମାଜର ସାମୁହିକ ସ୍ୱାର୍ଥ ସୁରକ୍ଷାକୁ ଭୁଲିଗଲେ ବୋଲି ଆଦିବାସୀ ସଂଘ ଅସନ୍ତୋଷ ପ୍ରକାଶ କରିଛି । ସମଗ୍ର ଆଦିବାସୀ ସମାଜର ସାମୁହିକ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନିଜ ସ୍ୱାର୍ଥ ସାଧନରେ ଶ୍ରୀ ସିଂ ମାଝି ଲିପ୍ତ ରହିବାରୁ ତାଙ୍କୁ କୌଣସି ଆଦିବାସୀ ଭୋଟ ନଦେବାକୁ ଘୋଷଣା କରାଯାଇଥିଲା ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଭାନୁପ୍ରତାପ ସିଂ ମାଝିଙ୍କୁ ସଂଘରୁ ବହିଷ୍କାର କରିବା ସହିତ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ଉପସଭାପତି ପଦବୀରୁ ମଧ୍ୟ ବହିଷ୍କାର କରାଯାଇଛି । ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବରିଷ୍ଠ ନେତା ଖାମ ସିଂ ମାଝିଙ୍କୁ ସଭାପତି କାର୍ଯ୍ୟ ତୁଳାଇବା ପାଇଁ ଦାୟିତ୍ୱ ଅର୍ପଣ କରାଯାଇଛି ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.