
ରାଉରକେଲା, (ସସ୍ମିତା ପ୍ରଧାନ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ସହକାରୀ ପ୍ରଫେସର ଡ. ଚିନୁ ବହିଦାର ରାଉରକେଲା ପାନପୋଷ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଗସ୍ତ କରି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିଛନ୍ତି । ୨୦୦୮ ମସିହାରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସମାଜ ବିଜ୍ଞାନରେ ସ୍ନାତକ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଡ. ବହିଦାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ସ୍ନାତକୋତ୍ତର ଅଧ୍ୟୟନ ପରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକରି ଗତ କିଛିବର୍ଷ ହେଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରରେ କାର୍ଯ୍ୟରତ ଅଛନ୍ତି । ଡ. ବହିଦାର ସ୍ୱୟଂଶାସିତ ମହାବିଦ୍ୟାଳୟ ଗସ୍ତ ସମୟରେ ସେ ଅଧ୍ୟୟନ କରୁଥିବା ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହିତ ଭାବ ବିନିମୟ କରି ସ୍ମୃତିଚାରଣ କରିଥିଲେ । ଏହା ସହିତ ଗତ ଦୁଇବର୍ଷ ଧରି ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ଶିକ୍ଷା କ୍ଷେତ୍ରରେ ରହିଥିବା ବିଭିନ୍ନ ନିଯୁକ୍ତି ସୁଯୋଗ ସହିତ ସ୍ୱରୋଜଗାରର ସୁଯୋଗ ସମ୍ପର୍କରେ ଅନେକ ଉପାଦେୟ ପରାମର୍ଶ ଦେଇଥିଲେ । ଏହା ସହିତ ରାଜ୍ୟର ଏକ ପୂରାତନ ବିଶ୍ୱବିଦ୍ୟାଳୟଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ କରି ୧୯୭୪ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପାଠ୍ୟକ୍ରମ ଆରମ୍ଭ ସମ୍ପର୍କରେ ସୂଚନା ଦେଇ ଏଠାରେ ହେଉଥିବା ବିଭାଗୀୟ ଗବେଷଣା ଓ ଉନ୍ନୟନ ସମ୍ପର୍କୀତ କାର୍ଯ୍ୟକ୍ରମର ସୁବିଧା ଛାତ୍ରଛାତ୍ରୀମାନେ ନେବା ପାଇଁ ପରାମର୍ଶ ଦେଇଥିଲେ । ଦିନକୁ ଦିନ ବିଭିନ୍ନ ପାଠ୍ୟକ୍ରମରେ ଅଧିକରୁ ଅଧିକ ପ୍ରତିଯୋଗିତା ହେଉଥିଲେ ମଧ୍ୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନେକ ସୁଯୋଗ ରହିଥିବାରୁ ଏ ସମ୍ପର୍କୀତ ଆବଶ୍ୟକ ସୂଚନା ଓ ସାହାଯ୍ୟ ନିମନ୍ତେ ଡ. ବହିଦାର ପ୍ରତିଶ୍ରୁତି ଦେଇଥିଲେ । ଏହା ସହିତ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଆଭାଷ କୁମାର ହୋତାଙ୍କ ପୌରହିତ୍ୟରେ ହୋଇଥିବା ଏହି ଆଲୋଚନାରେ ବିଭାଗୀୟ ଅଧ୍ୟାପକ ମହେନ୍ଦ୍ର ମିଶ୍ର ଓ ନୟନ ରଞ୍ଜନ ଦାସଙ୍କ ସମେତ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।