ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଛୋଟ ସମୟରେ ଆପଣ ନିଶ୍ଚୟ ପଢ଼ିଥିବେ ବେଙ୍ଗ ବେଙ୍ଗୁଲିର ବାହାଘର କଥା । ଏହା କେବଳ କାହାଣୀ ତାହା ନୁହେଁ ବରଂ ଏହା ଏକ ପାରମ୍ପରିକ ପରମ୍ପରା । ଏହି ପରମ୍ପରା ଆଜି ବି ଜୀବନ୍ତ ରହିଛି । ଖପ୍ରାଖୋଲ ବ୍ଲକ୍ ଘୁନସର ପଞ୍ଚାୟତ ଅନ୍ତର୍ଗତ ଝାଲବାହାଲ ଗ୍ରାମରେ ସପ୍ତପୁରି ତଥା ପୁରା ଅମାବାସ୍ୟା ଅବସରରେ ବେଙ୍ଗ ବେଙ୍ଗୁଲିର ବିବାହ ଉତ୍ସବ ଧୂମ୍ଧାମ୍ରେ ପାଳିତ ହୋଇଯାଇଛି । ସୂଚନା ଅନୁସାରେ ପାରମ୍ପାରିକ ଭାବରେ ଦୀର୍ଘ ବର୍ଷ ଧରି ଗାଁରେ ବେଙ୍ଗ ବେଙ୍ଗୁଲି ବାହାଘର ପୁରା ଅମାବାସ୍ୟାରେ ପାଳିତ ହୋଇ ଆସୁଛି । ପୂର୍ବଦିନ କୁନି କୁନି ଝିଅମାନେ ଘର ଘର ବୁଲି ବାହା ଘର ନିମନ୍ତ୍ରଣ ଦେଉଥିବା ବେଳେ ଅମାବାସ୍ୟା ଦିନ ବେଙ୍ଗୁଲି ଓ ବେଙ୍ଗର ବାହାଘର କରିଥାନ୍ତି । ଦୁଇ ଜଣ ଝିଅଙ୍କୁ କନ୍ୟା ଓ ବର ବେଶରେ ସଜାଇ ବାହା କରିଥାନ୍ତି । ଏପରି ବିଚିତ୍ର ପରମ୍ପରା ପାଳନ କରିବାର ଏକ କାରଣ ରହିଛି । ତାହା ହେଉଛି ମୌସୁମୀ ବର୍ଷା ପାଇଁ ରାଜ୍ୟରେ ସମସ୍ତେ ଆତୁର ହୋଇଥାନ୍ତି । ତେଣୁ ବେଙ୍ଗ ବେଙ୍ଗୁଲିକୁ ବିବାହ କରି କୃଷକ ଇନ୍ଦ୍ର ଦେବତାଙ୍କୁ ପ୍ରାର୍ଥନା କରନ୍ତି । ସେମାନଙ୍କ ବିଶ୍ୱାସ ରହିଛି ଯେ, ବେଙ୍ଗମାନେ ନ କହିବା ପର୍ଯ୍ୟନ୍ତ ଇନ୍ଦ୍ର ଦେବତା ବର୍ଷା କରାଇବେ ନାହିଁ ବେଙ୍ଗୁଲି ବାହା ଘର କଲେ ଭଲ ବର୍ଷା ହେବା ସହ ଫସଲ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଥିବା ବେଳେ ଗାଁରେ ରୋଗ ବ୍ୟାଧି ଆଦି ହୁଏ ନାହିଁ । ପରେ ଗାଁ ପରିକ୍ରମା କରି ବେଙ୍ଗୁଲି ବେଙ୍ଗକୁ ବନ୍ଦାପନା କରିବା ସହ ପାଣିରେ ବିସର୍ଜନ କରିଥାନ୍ତି ।