ନୂଆପଡାରେ ବାଘ ଆତଙ୍କ : ଗୁହାଳରେ ପଶି ଶିକାର କଲା ବଳଦ, ଚିନ୍ତାରେ ଗ୍ରାମବାସୀ

ନୂଆପଡା, (ନିରାକାର ମେହେର) : ନୂଆପଡାରେ ପୁଣି ବାଘ ଆତଙ୍କ । ଶୁକ୍ରବାର ରାତିରେ ଗୁହାଳ ଭିତରୁ ଗୋଟିଏ ବଳଦକୁ ଟେକିନେଇ ଖାଇଥିବା ଖବର ସାମନାକୁ ଆସିଛି । ଏପରି ଘଟଣା ଘଟିଛି କୋମନା ରେଞ୍ଜ ଧଉଁରାଭଟା ଗାଁରେ ।

ସୂଚନା ଅନୁସାରେ, ଗାଁକୁ ଲାଗି ରହିଛି ପାଟି ଡଙ୍ଗର । ଯାହା ସୁନାବେଡା ଅଭୟାରଣ୍ୟ ସଂଲଗ୍ନ । ତେବେ ଶୁକ୍ରବାର ରାତିରେ ଧଉଁରାଭଟା ଗ୍ରାମର ଭୋକୋ ଜଗତଙ୍କ ବଳଦକୁ ବାଘ ଖାଇଥିବା ଅଭିଯୋଗ ହୋଇଛି । ଏନେଇ ସେ ଏକ ଲିଖିତ ଅଭିଯୋଗ ଦେବାପରେ ବର୍ତ୍ତମାନ ଘଟଣା ସ୍ଥଳରେ କୋମନା ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ ଖରିଆର ରୋଡ ରେଞ୍ଜ ହଳଦି ଗାଁର ଚାରି ବର୍ଷର ଶିଶୁ ଛଗନ ପାଣ୍ଡେକୁ ବାଘ ଖାଇବା ଦିନ ଠାରୁ ନୂଆପଡା ଜିଲ୍ଲାରେ କଲରାପତରିଆ ବାଘର ଆତଙ୍କ ପିଛା ଛାଡୁନାହିଁ । ବିଭିନ୍ନ ସମୟରେ ଜଙ୍ଗଲ ତଳି ଅଞ୍ଚଳରେ ଥିବା ଗାଁମାନଙ୍କୁ ଆସି କଲରାପତରିଆ ବାଘ ଗାଈ, ବଳଦ, ଛେଳି ଖାଉଥିବା ବେଳେ ଏଭଳି ଅଘଟଣକୁ ରୋକ ଲଗାଯାଇ ପାରୁନି । କ୍ଷତିଗ୍ରସ୍ତ ପରିବାର ବର୍ଗଙ୍କୁ ଅନୁକମ୍ପା ରାଶି ଦେଇ ଚୁପ୍ ହୋଇଯାଉଛି ବନ ବିଭାଗ ।

କେବଳ ଧଉଁରାଭଟା ନୁହେଁ ଆଖପାଖ ଗାଁରେ ମଧ୍ୟ ବର୍ତ୍ତମାନ ବାଘ ଭୟ ଦେଖାଦେଇଛି । ବନ ବିଭାଗ କର୍ମଚାରୀମାନେ ଗାଁରେ ପହଞ୍ଚି ଏକା ଘରୁ ନ ବାହାରିବା ସହ ସଂନ୍ଧ୍ୟା ହେଲେ ଘରୁ ନ ବାହାରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି । ଦୁଇମାସ ମଧ୍ୟରେ ସେହି ପାଟିଡଙ୍ଗର ଅଞ୍ଚଳରୁ ପାଖାପାଖି ଆଠଟି ଗାଈ ବଳଦ ଖାଇଥିବା ସୂଚନା ମଧ୍ୟ ସାମନାକୁ ଆସିଛି । ବର୍ତ୍ତମାନ ଜଙ୍ଗଲ ତଳି ଅଞ୍ଚଳରେ ଥିବା ଗାଁର ସାଧାରଣ ଜନତାଙ୍କୁ କିଭଳି ସୁରକ୍ଷା ଦିଆଯାଇ ପାରିବ ସେ ନେଇ ବନ ବିଭାଗ ଗାଁ ଗାଁ ବୁଲି ସଚେତନ କରୁଛି ।

Leave A Reply

Your email address will not be published.