
ନୂଆପଡ଼ା, (ନିରାକାର ମେହେର) : କ୍ୟାମେରାରେ ଠାବ ହୋଇଛି ବାଘ । ସୋସେଙ୍ଗ ପଞ୍ଚାୟତ ଜଳମଡ଼େଇ ଗାଁରେ ଲାଗିଥିବା ଟ୍ରାକିଂ କ୍ୟାମେରାରେ ଗୁରୁବାର ଏହି ବାଘର ଚିତ୍ର ପ୍ରଥମଥର ପାଇଁ କଏଦ୍ ହୋଇଛି । ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ଆତଙ୍କ ଖେଳାଉଥିବା ଏହି ବାଘର ଫଟୋ ଏବେ ସାମ୍ନାକୁ ଆସିଛି ।
ଗତ ମାର୍ଚ୍ଚ ୧୯ରେ ସୋସେଙ୍ଗ ପଞ୍ଚାୟତ ଜଳମଡ଼େଇ ଗାଁରେ ଜଣେ ବୃଦ୍ଧାଙ୍କୁ ବାଘ ଟାଣି ଖାଇଥିଲା । ପରଦିନ ବନ ବିଭାଗ ଗାଁ ଚାରିପାଖ ଏବଂ ନିକଟ ମହୁଲଡ଼ଙ୍ଗରରେ ୧୦ଟି ଟ୍ରାକିଂ କ୍ୟାମେରା ଲଗାଇଥିଲା । ୨ ଦିନ ପରେ ବାଘ ପୁଣି ବାଛୁରୀ ଶିକାର କରିବାରୁ ୨୨ ତାରିଖରେ ପୁଣି ୩ଟି କ୍ୟାମେରା ଖଞ୍ଜାଯାଇଥିଲା । ଏହା ସତ୍ୱେ କ୍ୟାମେରାରେ କଏଦ୍ ହେଉନଥିଲା ବାଘ । କ୍ୟାମେରା ଲାଗିବାର ୧୦ ଦିନ ପରେ ଗୁରୁବାର ଭୋର୍ ୪ଟା ୫୮ରେ ଟ୍ରାକିଂ କ୍ୟାମେରାରେ ପ୍ରଥମକରି ବାଘର ଫଟୋ କଏଦ୍ ହୋଇଥିଲା । ଏହା କଳରାପତରିଆ ବୋଲି ସ୍ପଷ୍ଟ ହୋଇଥିଲା । ପୂର୍ବରୁ ଆତଙ୍କ ରଚିଥିବା ବାଘ ଗାଁ ଲୋକେ ମହାବଳ ବୋଲି କହୁଥିବା ବେଳେ ବନ ବିଭାଗ କଲରାପତରିଆ ବୋଲି ଦାବୀ କରୁଥିଲା । ଏବେ ବି ବାଘ ଗାଁ ଚତୁଃପାର୍ଶ୍ଵରେ ଖାଦ୍ୟ ପାଇଁ ପଇଁତରା ମାରୁଛି । ସେପଟେ ୨୫ ଦିନ ହେବ ଆମାନାରା ପଞ୍ଚାୟତ ମୁଷରଙ୍ଗୀ ଜଙ୍ଗଲରେ ଶାବକ ସହ ବାଘୁଣୀ ଆତଙ୍କ ଖେଳାଉଛି ।