ରାଉରକେଲା, (ସସ୍ମିତା ପ୍ରଧାନ) : ମଙ୍ଗଳବାର ଦିନ ଆଭାସୀ ଯୋଗେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ୩୦ତମ ନିର୍ଦ୍ଦେଶକ ମଣ୍ଡଳୀ (ବୋର୍ଡ ଅଫ୍ ଡାଇରେକ୍ଟର) ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଉପସ୍ଥିତ ଥିଲେ । ଏହି ବୈଠକରେ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ଅଧୀନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଇ ଏକ ବିକଶିତ ଓ ଶ୍ରେଷ୍ଠ ରାଉରକେଲା ଗଠନ କିପରି କରାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସହରରେ କାର୍ଯ୍ୟାନ୍ୱୟନ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରାଯାଇଥିଲା । ଏଥି ସହ ନିର୍ମାଣାଧୀନ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତିର ସମୀକ୍ଷା କରାଯିବା ସହ ପ୍ରକଳ୍ପ କାର୍ଯ୍ୟରେ ସ୍ରୁଷ୍ଟି ସମସ୍ୟାକୁ ଦୂର କରି ସେଗୁଡିକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ସେଥିମଧ୍ୟରେ ରାଉରକେଲା ୱାନଠାରେ ନିର୍ମାଣାଧୀନ ସମନ୍ଵିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କକ୍ଷ (ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର) ଓ ଆଦିବାସୀ ସଂଗ୍ରହାଳୟକୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ପାଇଁ ଲକ୍ଷ୍ୟ ରଖାଯାଇଛି । କୋଏଲ ନଗରଠାରେ ନିର୍ମାଣାଧୀନ ବିଗ୍ ରିକ୍ରିଏସନାଲ ପାର୍କ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତିର ସମୀକ୍ଷା କରିବା ସହ ପ୍ରସିଦ୍ଧ ବେଦବ୍ୟାସ ପୀଠର ଉନ୍ନତିକରଣ ଉପରେ ଆଲୋଚନା କରାଯାଇଥିଲା । ସେହିପରି ଭାବେ ଏହି ବୈଠକରେ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଷ୍ଟ୍ରମ୍ ୱାଟର ଡ୍ରେନେଜ୍ ସିଷ୍ଟମ, ନୂତନ ବସଷ୍ଟାଣ୍ଡ ଓ ଟିସ୍କୋ ପୋଖରୀର ପୁନଃରୁଦ୍ଧାର ପ୍ରକଳ୍ପର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ଏଥିସହ ରାଉରକେଲା ସହରରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ବିଶ୍ରା ଛକଠାରେ ଥିବା ନୂତନ ବସଷ୍ଟାଣ୍ଡ ଓ ଟିସ୍କୋ ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ରାଉରକେଲା ସ୍ମାର୍ଟ ସିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
