ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) :ସୁନ୍ଦରଗଡ଼ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ ସ୍ଥାନୀୟ ସଦଭାବନା ଭବନଠାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କିତ ବିଭିନ୍ନ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା । ବୈଠକର ନିଷ୍ପତି ଅନୁଯାୟୀ ସ୍ଥାନୀୟ ଯତରା ପଡ଼ିଆଠାରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ଏଥି ନିମନ୍ତେ ନିମନ୍ତେ ଅଗଷ୍ଟ ୧୧, ୧୨ ଏବଂ ୧୩ ତାରିଖ ସକାଳ ୭:୩୦ଟା ସମୟରେ ପ୍ୟାରେଡ ଅଭ୍ୟାସ କରାଯିବ । ସେହିପରି ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶାତ୍ମବୋଧକ କବିତା ଆବୃତ୍ତି, ଚିତ୍ରାଙ୍କନ, ପ୍ରବନ୍ଧ ଏବଂ ବକ୍ତୃତା ପ୍ରତିଯୋଗିତା ଗୁଡ଼ିକ ଆୟୋଜିତ ହେବ । ଏହି ପବିତ୍ର ଦିବସ ପାଳନ ଅବସରରେ ସମସ୍ତ ସରକାରୀ କାର୍ଯ୍ୟାଳୟ ସହିତ ଅନ୍ୟାୟ କାର୍ଯ୍ୟାଳୟମାନଙ୍କରେ ଆଲୋକସଜ୍ଜା କରାଯିବାକୁ ବୈଠକରେ ଆଲୋଚନା କରାଯାଇଥିଲା । ସ୍ୱାଧୀନତା ଦିବସରେ ପ୍ରାତଃ ୪:୩୦ ସମୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଦ୍ଵାରା ସହର ମଧ୍ୟରେ ଡ଼ାକବାଜି ଯନ୍ତ୍ର ଦ୍ଵାରା ରାମଧୁନ ପରିବେଷଣ କରାଯିବ । ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ୭:୩୦ ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ସେହିଭଳି ସହର ମଧ୍ୟରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ, ଅନ୍ୟାନ୍ୟ ଅନୁଷ୍ଠାନ ମଧ୍ୟରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ସଂପୃକ୍ତ ଅନୁଷ୍ଠାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ କରାଯିବ । ସମସ୍ତ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଭାତଫେରି କରାଯିବ । ସେହିଭଳି ଦିବସର ମୁଖ୍ୟ ଅତିଥିଙ୍କ ଦ୍ଵାରା ଯତରା ପଡ଼ିଆଠାରେ ସକାଳ ୯:୧୫ ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହିତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସମ୍ମିଳିତ ପ୍ୟାରେଡ ଅନୁଷ୍ଠିତ ହେବ । ପରେ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ଏବଂ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ଏବଂ ଚଳିତ ମାଟ୍ରିକ ପରୀକ୍ଷାରେ ଜିଲ୍ଲା ଟପ୍ପର ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ସେହିଭଳି ଜିଲ୍ଲା ପ୍ରଶାସନ, ଜିଲ୍ଲା ପ୍ରେସ କ୍ଲବ ଏବଂ ଜିଲ୍ଲା ବାର ଆସୋସିଏସନ୍ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହେବ । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜେଲ, ଆସ୍ଥା ଗୃହ ଏବଂ ସାର୍ଥକ ସ୍କୁଲରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଫଳ ଓ ମିଷ୍ଠାନ ବଣ୍ଟନ କରାଯିବ । ଏହି ପବିତ୍ର ଦିବସକୁ ସରସ ସୁନ୍ଦର କରି ସଫଳତାର ସହ ପାଳନ କରାଯିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଝୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମହେନ୍ଦ୍ରନାଥ ମୁର୍ମୁ, ଏସ ଡି ପି ଓ ନିର୍ମଳ କୁମାର ମହାପାତ୍ର, ସଦର ତହସିଲଦାର କୁଳମଣି ରଣବିଡ଼ା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ରିଜର୍ଭ ଇନ୍ସପେକ୍ଟର ଲୋକନାଥ ଭୋଇ, ଅନ୍ୟାନ୍ୟ ସମସ୍ତ ବିଭାଗୀୟ ଅଧିକାରୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟକ୍ଷ, ବିଭିନ୍ନ ଅନୁଷ୍ଠାନର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
